ସବୁଜ ବନାନିରେ ପରିବେଷ୍ଠିତ ପାହାଡ ଶୀର୍ଷରୁ ଏକ ପାହାଡିଆ ଗୁମ୍ଫା ଅତିକ୍ରମ କରି ଧରାପୃଷ୍ଠକୁ ବୋହି ଆସୁଥିବା ସୁନ୍ଦର ଝରଣା ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନମୁଗ୍ଧକର । ପ୍ରାକୃତିକ ସୋନ୍ଦର୍ଯ୍ୟର ଭରପୁର ସମ୍ଭାର ଏଠାରେ ପରିଲକ୍ଷିତ ହୋଇଥାଏ ।
ଦେବଗଡ଼ ୪/୧ (ସରୋଜ ଶତପଥୀ) – ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର ଦେବଗଡ ଜିଲ୍ଲା । ସବୁଜ ବଣ ପାହାଡ ପରିବେଷ୍ଠିତ ପ୍ରାକୃତିକ ସୋନ୍ଦର୍ଯ୍ୟ ଭରା ଏହି ଜିଲ୍ଲାରେ ରହିଛି ଏକାଧିକ ଜଳପ୍ରପାତ, ଜଳଭଣ୍ଡାର, ପାହାଡିଆ ଗୁମ୍ଫା ଓ ରାଜାରାଜୁଡ଼ା ଅମଳର ପ୍ରାଚୀନ ଐତିହ୍ୟ । ଯାହାକି ସବୁବେଳେ ସବୁ ସମୟରେ ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଆସିଛି । ସେଥିମଧ୍ୟରୁ ତିଲେଇବଣି ବ୍ଲକର ଫୁଲପଥରଖୋଳ ଗାଁ ନିକଟରେ ଥିବା କୁନ୍ତୁରୂଘାଗି ଜଳପ୍ରପାତ ଅନ୍ୟତମ । ଏହି ଜଳପ୍ରପାତର ରହିଛି ଏକ ବିଶେଷ ଆକର୍ଷଣ । ସୁଉଚ୍ଚ ପାହାଡ ଶିର୍ଷରୁ ଏକ ପ୍ରସ୍ତର ଗୁମ୍ଫା ଅତିକ୍ରମ କରି ଧରାପୃଷ୍ଟକୁ ବୋହିଆସୁଛି ଏକ ସୁନ୍ଦର ଝରଣା । ନିକଟରୁ ଦେଖିଲେ ଲାଗୁଛି ସତେଯେପରି ଏକ ପଥର ଚଟାଣ ଭିତରୁ ଝରଣା ଟି ଉତ୍ପନ୍ନ ହୋଇଛି । ଏହାର ପାଦଦେଶରେ ଏହି ଝରଣାରୁ ନିର୍ଗତ ଜଳରାଶି ଦ୍ବାରା ନିମ୍ନ ଭାଗରେ ଏକ ଅଗଭୀର ଗଣ୍ଡ ସୃଷ୍ଟି ହୋଇଥିବା ମଧ୍ୟ ପରିଲକ୍ଷିତ ହୋଇଥାଏ । ନୀଳ ଜଳରାଶି ଓ ଏହାକୁ ପରିବେଷ୍ଟିତ କରିଥିବା ସବୁଜ ବୃକ୍ଷ ରାଜି, ପର୍ଯ୍ୟଟକଙ୍କୁ ବେସ୍ ଆକୃଷ୍ଟ କରିଥାଏ । ପ୍ରକୃତି ରାଣୀର ଏହି ବିଚିତ୍ର ଓ ମନୋରମ ସୃଷ୍ଟି ଦେଖି ଦର୍ଶକ କ୍ଷଣିକ ପାଇଁ ସ୍ତମ୍ଭିଭୂତ ହୋଇଯାଇଥାନ୍ତି । ଏହି ପ୍ରପାତ ସ୍ଥଳରେ ବଣଭୋଜି କରିବା ଓ ପ୍ରପାତ ସମ୍ମୁଖରେ ସେଲଫି ଉଠାଇବା ପାଇଁ ଦୂରଦୂରାନ୍ତରୁ ବହୁ ସଂଖ୍ୟାରେ ଦର୍ଶକ ଓ ପର୍ଯ୍ୟଟକ ଏଠାକୁ ଛୁଟି ଆସୁଛନ୍ତି । ବିଶେଷକରି ଏଥିକାର ଶାନ୍ତ ପରିବେଶରେ ବଣଭୋଜି କରିବା ମଜା ନିଆରା । ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ଓ ଜାନୁଆରୀ ମାସରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ।

କେମିତି ପହଞ୍ଚିବେ କୁନ୍ତୁରୁଘାଗି ଜଳପ୍ରପାତ :
ଦେବଗଡ ସହର ଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଅବସ୍ଥିତ ଏହି ମନୋରମ ପର୍ଯ୍ୟଟନସ୍ଥଳୀ କୁନ୍ତୁରୁଘାଗି ଜଳପ୍ରପାତ । ଏଠାକୁ ପହଞ୍ଚିବାକୁ ହେଲେ ୪୯ ନମ୍ବର ଜାତୀୟ ରାଜପଥ ତିଲେଇବଣି ବ୍ଳକର କୈଳାସ ଗ୍ରାମ ଛକ ଠାରୁ ଲାଇମୁରା ରାସ୍ତାରେ ୧୨ କିମି ଆଗକୁ ଗଲେ ପଡିଥାଏ ଫୁଲପଥରଖୋଳ ଗାଁ। ଫୁଲପଥରଖୋଳ ଗାଁ ଠାରୁ ଜଙ୍ଗଲିଆ ମାଟି ରାସ୍ତାରେ ମାତ୍ର ୩ କିଲୋମିଟର ଗଲେ ଏହି ଜଳପ୍ରପାତ ନିକଟକୁ ପହଞ୍ଚିବାକୁ ହୁଏ । ତେବେ ଉକ୍ତ ସ୍ଥାନକୁ ଯିବା ପାଇଁ ଆଗରୁ ରାସ୍ତା ନଥିଲା | କିନ୍ତୁ ଗ୍ରାମବାସୀମାନେ ନିଜସ୍ବ ଉଦ୍ୟମରେ ଏହି ପର୍ଯ୍ୟଟନସ୍ଥଳୀକୁ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଛି ।

କଣ ରହିଛି ସମସ୍ୟା ?
ଜିଲ୍ଲାର ଏହି ମନୋରମ ପର୍ଯ୍ୟଟନ ସ୍ଥଳୀଟି କିଛିବର୍ଷ ହେଲା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମାତ୍ର ଏଠାକୁ ସ୍ଥାୟୀ ରାସ୍ତା ଖଣ୍ଡିଏ ନଥିବାରୁ ପର୍ଯ୍ୟଟକ ପ୍ରପାତ ସ୍ଥଳୀକୁ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାନବାହାନ ଗୁଡ଼ିକ କିଛି ଦୂରରେ ରଖି ପାଦଚଲା ରାସ୍ତାରେ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି । ଏତଦବ୍ୟତୀତ ପ୍ରପାତ ସ୍ଥଳୀରେ ବଣଭୋଜି କରିବା ପାଇଁ ପିଣ୍ଡି ନଥିବାରୁ ବଣଭୋଜି ପାଇଁ ଆସୁଥିବା ଲୋକେ ଗଛମୂଳେ ଭୋଜି କରିବାକୁ ବାଧ୍ୟ ହେଉଛନ୍ତି । ଆଲୋକ ବ୍ୟବସ୍ଥା ନାହିଁ । ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପୂର୍ବରୁ ପ୍ରତ୍ୟାବର୍ତ୍ତନ ନକଲେ ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ସାମ୍ନା କରିବା ଆଶଙ୍କା ରହିଛି ।
ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଗ୍ରାମବାସୀଙ୍କ ଦାବି :
ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ କୁନ୍ତୁରୁଘାଗି ଜଳପ୍ରପାତର ବିକାଶ ପାଇଁ ଗ୍ରାମବାସୀ ବହୁବର୍ଷ ହେଲା ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବିକରି ଆସୁଛନ୍ତି । ଅନ୍ତତଃ ଏହି ପର୍ଯ୍ୟଟନ ସ୍ଥଳୀକୁ ସ୍ଥାୟୀ ରାସ୍ତା ଖଣ୍ଡିଏ ନିର୍ମାଣ କରାଯିବା, ବଣଭୋଜି ପାଇଁ କିଛି ପିଣ୍ଡି ନିର୍ମାଣ କରାଯିବା ସହ ସୋଲାର ଆଲୋକ ବ୍ୟବସ୍ଥା କରାଯିବା ପାଇଁ ଗ୍ରାମବାସୀ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବିକରି ଆସୁଛନ୍ତି । ମାତ୍ର ପ୍ରଶାସନିକ ସ୍ତରରୁ ଏଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଯାହାକି ସ୍ଥାନୀୟ ଗ୍ରାମବାସୀ ଓ ଏଠାକୁ ଆସୁଥିବା ବହୁସଂଖ୍ୟାରେ ପର୍ଯ୍ୟଟକଙ୍କୁ ନିରାଶ କରିଛି ।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାରୀ ସ୍ତରରୁ ଏଠାରେ ଆହୁରି ଉନ୍ନତ ଯାତାୟାତ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଓ ପ୍ରାଥମିକ ସୁବିଧା ଯୋଗାଇ ଦିଆଯାଏ, ତେବେ କୁନ୍ତୁରୁଘାଗି ଜଳପ୍ରପାତ ଦେବଗଡ଼ ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଏକ ପ୍ରମୁଖ ସ୍ଥାନ ଦଖଲ କରିପାରିବ, ଏଥିରେ ତିଳେହେଲେ ସନ୍ଦେହ ନାହିଁ ।



