ଦେବଗଡ଼ ପୌରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ସରକାରଙ୍କ ପକ୍ଷରୁ ତିନି ବ୍ଲକ୍ରେ ମେଗା ପାନୀୟଜଳ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ବର୍ଷ ପରେ ବର୍ଷ ଗଡ଼ୁଛି ସତ, କିନ୍ତୁ ସରୁନି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ।
ଦେବଗଡ ୯/୧ – ଦେବଗଡ ଜିଲ୍ଲାରେ ଉତ୍କଟ ହେବାରେ ଲାଗିଛି ପାନୀୟ ଜଳ ସଙ୍କଟ । ଦେବଗଡ ପୌରାଞ୍ଚଳ ସମେତ ଜିଲ୍ଲାର ଅଧିକାଂଶ ଗ୍ରାମରେ ପାନୀୟଜଳ ପ୍ରକଳ୍ପ ଗୁଡ଼ିକ ଦୀର୍ଘ ସମୟ ହେଲା ଅଚଳ ହୋଇ ପଡ଼ିରହିଁଥିବା ବେଳେ, ଲୋକେ ମେଗା ପାନୀୟଜଳ ପ୍ରକଳ୍ପରୁ ବିଶୁଦ୍ଧ ପାନୀୟ ଜଳ ପାଇବାକୁ ଅନାଇ ବସିଛନ୍ତି । ମାତ୍ର ବର୍ଷ ପରେ ବର୍ଷ ବିତିଯାଉଛି ହେଲେ ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସରିବାର ନାଁ ନେଉନାହିଁ। ଅତି ଧୀର ମନ୍ଥର ଗତିରେ ଚାଲିଛି ପ୍ରକଳ୍ପ କାର୍ଯ୍ୟ । ଫଳରେ ଏନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ବାରକୋଟ ବ୍ଲକ୍ର ୧୭୨ ଗ୍ରାମକୁ ପାନୀୟଜଳ ଯୋଗାଣ ନିମନ୍ତେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୨ଟି ଗ୍ରାମକୁ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ କରାଯାଉଛି। ଏବେ ବି ୯୦ଟି ଗ୍ରାମକୁ ବର୍ତ୍ତମାନ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ କରାଯାଇ ପାରିନାହିଁ। ସେହିପରି ରିଆମାଳ ବ୍ଲକ୍ର ୨୦୫ଟି ଗ୍ରାମ ପାଇଁ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା। ସେଥିମଧ୍ୟରୁ ମାତ୍ର ୩୨ଟି ଗ୍ରାମକୁ ଉକ୍ତ ପ୍ରକଳ୍ପରୁ ଜଳଯୋଗାଣ କରାଯାଉଥିବା ବେଳେ ୧୭୩ଟି ଗ୍ରାମକୁ ବର୍ତ୍ତମାନ ସୁଦ୍ଧା ଜଳଯୋଗାଣ କରାଯାଇ ପାରିନାହିଁ। ତିଲେଇବଣି ବ୍ଳକ୍ର ୨୦ ପଞ୍ଚାୟତର ବିଭିନ୍ନ ଗ୍ରାମ, ପୌରାଞ୍ଚଳ ଏବଂ ସମ୍ବଲପୁର ଜିଲ୍ଲାର କିଛି ଅଞ୍ଚଳକୁ ଜଳଯୋଗାଣ କରାଯିବା ପାଇଁ ପାନୀୟଜଳ ଯୋଗାଣ ନିମନ୍ତେ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଉକ୍ତ ପ୍ରକଳ୍ପରୁ ବର୍ତମାନ ସୁଦ୍ଧା କୌଣସି ଗୋଟିଏ ବି ଗ୍ରାମକୁ ଜଳଯୋଗାଣ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ଉକ୍ତ ପ୍ରକଳ୍ପର ଜଳ ବିଶୋଧାନଗାର ଓ ଓଭରହେଡ୍ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଚାଲୁଛି। ଏହି କାର୍ଯ୍ୟ କେବେ ସମାପ୍ତ ହେବ, ଏସଂପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । ସେପଟେ ଆଗକୁ ଗ୍ରୀଷ୍ମଋତୁ ଆସୁଥିବାରୁ ଜିଲ୍ଲାବାସୀ ପୁଣିଥରେ ଉତ୍କଟ ଜଳ ସଙ୍କଟ ର ସମ୍ମୁଖିନ ହେବାର ଆଶଙ୍କା ଦେଖାଦେଇଛି ।

ଏସମସ୍ୟା ସମ୍ପର୍କରେ ଜିଲ୍ଲାବାସୀ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇ ଆସୁଛନ୍ତି । ତଥାପି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ସେଭଳି ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହେଉନାହିଁ ।
ଲୋକଙ୍କ ପାନୀୟ ଜଳ ସମସ୍ୟାର ନିରାକରଣ ପାଇଁ ସରକାର ଶହଶହ କୋଟି ଟଙ୍କା ବ୍ୟୟରେ ତିନୋଟି ବ୍ଲକ ପାଇଁ ବ୍ରାହ୍ମଣୀ ନଦୀରେ ତିନୋଟି ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ସତ, ହେଲେ ବିଭାଗୀୟ କତ୍ତୃପକ୍ଷଙ୍କ ଅପାରଗତା ଓ ଠିକାସଂସ୍ଥାର ମନୋମୁଖୀ କାର୍ଯ୍ୟକଳାପ କାରଣରୁ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ସରି ପାରୁନାହିଁ । ଫଳରେ ଲୋକେ ଏହାର ସୁଫଳ ପାଇବାରୁ ବଞ୍ଚିତ ହୋଇ ଆସୁଥିବା ବେଳେ, ବାରମ୍ବାର ଉତ୍କଟ ଜଳସଙ୍କଟର ସମ୍ମୁଖିନ ହେଉଛନ୍ତି ।



