ଓଡ଼ିଶାରେ ହେବ ନୂଆ ଲୋକସେବା ଭବନ ଓ ଅତ୍ୟାଧୁନିକ ବିଧାନସଭା କମ୍ପ୍ଲେକ୍ସ । ଓଡ଼ିଶାର ରାଜ୍ୟ ପ୍ରଶାସନକୁ ମିଳିବ ନୂଆ ପରିଚୟ । ନୂଆଦିଲ୍ଲୀର ସେଣ୍ଟ୍ରାଲ୍ ଭିଷ୍ଟା ଢାଞ୍ଚାରେ ନିର୍ମାଣ ହେବ ଅତ୍ୟାଧୁନିକ ଲୋକସେବା ଭବନ ଓ ନୂଆ ବିଧାନସଭା କମ୍ପ୍ଲେକ୍ସ ।
ଭୁବନେଶ୍ୱର ୧୨/୧ – ଆଜି (ସୋମବାର) ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶିଳାନ୍ୟାସ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିବା ସହ ପ୍ରଥମ ପର୍ଯ୍ୟାୟରେ ୩,୬୨୩ କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ଦେଇଛନ୍ତି ।
ପ୍ରାୟ ୭୦ ବର୍ଷ ପୁରୁଣା ଲୋକସେବା ଭବନ ବର୍ତ୍ତମାନ ବିପଦଜନକ ସ୍ଥିତିକୁ ପହଞ୍ଚିଛି । କୋଠା ଦୁର୍ବଳ ହୋଇପଡ଼ିବା ସହ ପାର୍କିଂ ଓ ସ୍ଥାନାଭାବ ଗୁରୁତର ସମସ୍ୟା ସୃଷ୍ଟି କରୁଛି । ରାଜ୍ୟ ସରକାରଙ୍କ ବିଭାଗ ସଂଖ୍ୟା ବଢ଼ୁଥିବାରୁ ପ୍ରଶାସନିକ କାର୍ଯ୍ୟ ସୁଚାରୁ ଭାବେ ଚଲାଇବାରେ ବାଧା ଉପୁଜିଛି ।
ଏହି ସମସ୍ତ ସମସ୍ୟାକୁ ଦୂର କରିବାକୁ ନୂଆ ଢାଞ୍ଚାରେ ଲୋକସେବା ଭବନ ନିର୍ମାଣ ପାଇଁ ମୋହନ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରକଳ୍ପର ନିର୍ମାଣ ଦାୟିତ୍ୱ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (OBCC) କୁ ଦିଆଯାଇଛି ।
ସେହିପରି ଡି-ଲିମିଟେସନ ପରେ ବିଧାନସଭା ସିଟ୍ ବୃଦ୍ଧି ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ୧୪୭ ଟି ସିଟ୍ ଥିବା ବେଳେ ଏହା ୨୦୦ ପାଖାପାଖି ପହଞ୍ଚିପାରେ । ଏହାକୁ ଲକ୍ଷ୍ୟରେ ରଖି ୩୦୦ ସଦସ୍ୟ ବସିପାରିବେ ଭଳି ଏକ ଅତ୍ୟାଧୁନିକ ନୂଆ ବିଧାନସଭା ଭବନ ନିର୍ମାଣ କରାଯିବ ।
ଏହି ପ୍ରକଳ୍ପ ସହ ଓଡ଼ିଶାର ରାଜ୍ୟ ପ୍ରଶାସନର ପ୍ରାଣ କେନ୍ଦ୍ର ନୂଆ ରୂପ ନେବାକୁ ଯାଉଛି ବୋଲି କୁହାଯାଉଛି ।



