Explore

Search
Close this search box.

Search

April 17, 2026 5:05 pm

” ୭୫ ବର୍ଷ ହେଲେ ରାଜନୀତିରୁ ଅବସର ନେବା ଉଚିତ୍ ” କହିଲେ ଆର ଏସ ଏସ ମୁଖ୍ୟ ମୋହନ ଭାଗବତ।

ନେତାମାନେ ୭୫ ବର୍ଷରେ ଅବସର ଗ୍ରହଣ କରି ଯୁବପିଢିଙ୍କୁ ନେତୃତ୍ବ ଭାର ଛାଡିବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ( RSS ) ମୁଖ୍ୟ ମୋହନ ଭାଗବତ।

ନାଗପୁରରେ RSS ର ଦିବଂଗତ ବରିଷ୍ଠ କାର୍ଯ୍ୟକର୍ତ୍ତା ମୋ‌ରୋପନ୍ଥ ପିଙ୍ଗଲେଙ୍କ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗଦେଇ ମୋହନ ଭାଗବତ ଏପରି କହିଛନ୍ତି। ଭାଗବତ କହିଥିଲେ ଯେ ‘ତୁମକୁ ଯେତେବେଳେ ୭୫ବର୍ଷ ହେବ  ତୁମେ ସେତେବେଳେ କାମ କରିବା ବନ୍ଦ କରିଦେବା ଉଚିତ୍ ଓ ଅନ୍ୟକୁ ରାସ୍ତା ଛାଡିବା ଦରକାର।’ ଭାଗବତ ମୋରୋପନ୍ଥଙ୍କ ଉକ୍ତିକୁ ମନେ ପକାଇ ଏପରି କହିଥିଲେ। କାରଣ ମୋରୋପନ୍ଥ ଏକଦା କହିଥିଲେ ‘୭୫ବର୍ଷ ହେବା ପରେ ଯଦି ତୁମକୁ ସାଲ୍ ଦେଇ କେହି ସମ୍ବର୍ଦ୍ଧିତ କରନ୍ତି ସେତେବେଳେ ତୁମେ ଜାଣିବା ଦରକାର ଯେ ତୁମେ ବୁଢା ହୋଇଗଲଣି। ତୁମେ କାମ ବନ୍ଦ କରି ଅନ୍ୟମାନଙ୍କୁ ରାସ୍ତା ଛାଡିଦେବା ଦରକାର।’

ଭାଗବତଙ୍କ ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ବେଳେ ସାରାଦେଶର ରାଜନୈତିକ ମହଲରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ସେପ୍ଟେମ୍ବରରେ ୭୫ବର୍ଷରେ ପଦାପର୍ଣ କରିବେ। ଭାଗବତ ମଧ୍ୟ ଆଗାମୀ ସେପ୍ଟେମ୍ବରରେ ୭୫ବର୍ଷରେ ପଦାର୍ପଣ କରିବେ । ତେଣୁ ମୋଦୀ ଓ ଭାଗବତଙ୍କ ପାଇଁ ଏହି ନିୟମ କାର୍ଯ୍ୟକାରୀ ହେବ କି ନାହିଁ ତା’ ଉପରେ ବିରୋଧୀ ରାଜନେତା ମାନଙ୍କ ନଜର ରହିଛି ।

୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ କରିଥିଲା ବିଜେପି । ସେତେବେଳେ ୭୫ବର୍ଷ ହେବା ପରେ ନେତାଙ୍କୁ ଅବସର ନେବା ନେଇ ଅଘୋଷିତ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ଦଳର ଅନେକ ପୂର୍ବତନ ସାଂସଦ, ରାଜ୍ୟପାଳ ପଦରେ ରହିଥିବା ନେତାଙ୍କୁ ଏହି କାରଣରୁ ଟିକେଟ ମିଳିନଥିଲା । ଏବେ ବୟସ ସୀମାକୁ ନେଇ ନାଗପୁରରେ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟିପ୍ପଣୀ ପୁଣିଥରେ ଚର୍ଚ୍ଚାର ବିଷୟ ହୋଇଛି । ଭାଗବତଙ୍କ ବୟାନକୁ ପ୍ରଧାନମନ୍ତ୍ରୀଙ୍କ ଅବସର ସହ ଯୋଡିଛନ୍ତି ବିରୋଧୀ । କାରଣ ଚଳିତ ବର୍ଷ ସେପ୍ଟେମ୍ବର ୧୭ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୭୫ବର୍ଷ ହେବାକୁ ଯାଉଛି ।
୨୦୧୪ ଲୋକସଭା ନିର୍ବାଚନ ପରେ ବିଜେପିରେ ୭୫ବର୍ଷରୁ ଅଧିକ ବୟସର ନେତାଙ୍କୁ ଅବସର ଦେବାର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ପରେ ନିଜ କ୍ୟାବିନେଟରେ ୭୫ବର୍ଷରୁ କମ ବୟସର ନେତାଙ୍କୁ ସ୍ଥାନ ଦେଇଥିଲେ ମୋଦି। ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କୁ ମାର୍ଗଦର୍ଶକ ମଣ୍ଡଳୀରେ ସାମିଲ କରାଗଲା । ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରୁ ଆନନ୍ଦି ବେନ୍ ପଟେଲ୍ ଇସ୍ତଫା ଦେବା ବେଳେ ତାଙ୍କ ବୟସ ୭୫ବର୍ଷ ଥିଲା । ସେହିବର୍ଷ ନଜମା ହେପତୁଲ୍ଲା ମଧ୍ୟ ୭୬ବର୍ଷ ବୟସରେ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ୨୦୧୯ ନିର୍ବାଚନରେ ୭୫ବର୍ଷରୁ ଅଧିକ କୌଣସି ନେତାଙ୍କୁ ଟିକେଟ୍ ଦିଆଯାଇ ନଥିଲା । ସେତେବେଳେ ସୁମିତ୍ରା ମହାଜନ ଓ ହୁକୁମଦେବ ନାରାୟଣ ଯାଦବଙ୍କ ପରି ନେତାଙ୍କ ଟିକେଟ୍ କଟିଥିଲା। ୨୦୨୪ରେ ବି ସମାନ ଟ୍ରେଣ୍ଡ ଦୋହରା ଯାଇଥିଲା । ତେବେ ଏହି ନିୟମ ମୋଦିଙ୍କ ପାଇଁ ଲାଗୁ ହେଉଛି କି ନାହିଁ ? ସେଥିପ୍ରତି ରହିଛି ସମସ୍ତଙ୍କ ନଜର ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer