Explore

Search
Close this search box.

Search

April 17, 2026 8:00 pm

ଦେବଗଡ ଜିଲ୍ଲାରେ ବଢୁଛି ବନ୍ୟଜନ୍ତୁ ଉପଦ୍ରବ , ଉଜୁଡି ଯାଉଛି ସୁନାର ଫସଲ ।

ଦେବଗଡ ଜିଲ୍ଲାରେ ଦିନକୁଦିନ ବୃଦ୍ଧିପାଉଛି ବନ୍ୟଜନ୍ତୁ ଉପଦ୍ରବ । ବନ୍ୟଜନ୍ତୁ ନଷ୍ଟ କରି ଚାଲିଛନ୍ତି ଏକର ଏକର ପରିମିତ ଚାଷଜମିରେ ହୋଇଥିବା ଫସଲ । ବନ୍ୟଜନ୍ତୁ ଉପଦ୍ରବ ରୋକିବାର ନାଁ ନେଉନଥିବା ବେଳେ, ଉଜୁଡି ଯାଉଥିବା ଫସଲ ଦେଖି ଚାଷୀକୁଳ ଚାଷବାସ କରିବାକୁ ଭୟକଲେଣି ।

ଦେବଗଡ଼ : ୧୮/୨ (ସରୋଜ ଶତପଥୀ) – କୃଷି ପ୍ରଧାନ ଦେବଗଡ ଜିଲ୍ଲା । ଏହି ଜିଲ୍ଲାର ପ୍ରାୟତଃ ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭର କରିଥାନ୍ତି । ଧାନଚାଷ ସହିତ ବିଭିନ୍ନ ରବି ଫସଲ, ପନିପରିବା ଓ ଫଳମୂଳ ଚାଷ କରି ଅଧିକାଂଶ ଲୋକ ଗୁଜୁରାଣ ମେଣ୍ଟାଇଥାନ୍ତି । ମାତ୍ର ବିଗତ କିଛିବର୍ଷ ହେଲା ଏହି କୃଷିପ୍ରଧାନ ଜିଲ୍ଲାରେ ବନ୍ୟଜନ୍ତୁ ଙ୍କ ଉପଦ୍ରବ ଚାଷୀକୁଳ ଙ୍କୁ ଚିନ୍ତାରେ ପକାଇ ଦେଇଛି । ବନ୍ୟଜନ୍ତୁ ଉପଦ୍ରବ ଯୋଗୁଁ ଉଜୁଡ଼ି ଯାଉଛି ଶହଶହ ଏକର ଫସଲ । ମୁଖ୍ୟତଃ ଗ୍ରାମାଞ୍ଚଳରେ ହାତୀ ଓ ବାରାହା ଉପଦ୍ରବ ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହେଉଥିବା ବେଳେ, ସହରାଞ୍ଚଳରେ ମାଙ୍କଡପଲ ଙ୍କ ଉତ୍ପାତ ଯୋଗୁଁ ଲୋକଙ୍କ ବାଡିବାଗିଚା ଉଜୁଡି ଯାଉଛି । ଯାହାକି ସାଧାରଣ ଲୋକଙ୍କ ପାଇଁ ଜଟିଳ ସମସ୍ୟା ସୃଷ୍ଟି କରିଛି ।

ସରକାରୀ ତଥ୍ୟ ଅନୁଯାୟୀ, ବିଗତ ୬ ବର୍ଷ ମଧ୍ୟରେ ବନ୍ୟଜନ୍ତୁ ଉପଦ୍ରବ ଯୋଗୁଁ ଜିଲ୍ଲାର ମୋଟ ୯୯୨୮ ଜଣ ଚାଷୀଙ୍କ ଫସଲ ନଷ୍ଟ ହୋଇଥିବା ଜଣାଯାଇଛି । ଗତ ୨୦୨୦-୨୧ ମସିହାରେ ୨୫୫୦ ଜଣଙ୍କ ୯୦୦.୨୩ ଏକର, ୨୦୨୧-୨୨ରେ ୮୩୮ ଜଣଙ୍କ ୨୯୦.୫୪୫ ଏକର, ୨୦୨୨-୨୩ରେ ୧୦୯୦ ଜଣଙ୍କ ୪୧୨.୮୪୧ଏକର, ୨୦୨୩-୨୪ରେ ୧୭୧୬ ଜଣଙ୍କ ୬୪୬.୪୫୬ ଏକର, ୨୦୨୪-୨୫ରେ ୨୪୬୩ ଜଣଙ୍କ ୭୭୬.୭୦୮ଏକର ଓ ୨୦୨୫-୨୬ରେ ବର୍ତ୍ତମାନ ସୁଦ୍ଧା ୧୨୭୧ ଜଣଙ୍କ ୩୦୦. ୨୩୬୭୫ ଏକର ଫସଲ ନଷ୍ଟ ହୋଇ ସାରିଥିବା ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟରୁ ଜଣାଯାଇଛି । ଏଥିପାଇଁ ଯଦିଓ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି , ତଥାପି ବନ୍ୟଜନ୍ତୁ ଉପଦ୍ରବ ରୋକିବା ଦିଗରେ ବନବିଭାଗ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆଯାଉ ନଥିବା ଚାଷୀଙ୍କ ସହ ଜନସାଧାରଣ ଙ୍କୁ ନିରାଶ କରିଛି ।

ସବୁଜ ବଣ ପାହାଡ ପରିବେଷ୍ଠିତ ଦେବଗଡ଼ ଜିଲ୍ଲା ପୂର୍ବରୁ ଅଖୋଜ ବାମଣ୍ଡା ନାମରେ ପରିଚିତ ଥିଲା। ସେ ସମୟରେ ଜିଲ୍ଲାରେ ବହୁ ଘଞ୍ଚ ଜଙ୍ଗଲ ରହିଥିଲା। କିନ୍ତୁ ବର୍ତ୍ତମାନ ଜଙ୍ଗଲ ସମ୍ପଦ ଦୃତ ଅବକ୍ଷୟ ହେବା ଦ୍ବାରା ବନ୍ୟଜନ୍ତୁ ମାନେ ଏକପ୍ରକାର ବାସ୍ତୁହରା ହୋଇ ଖାଦ୍ୟ ଅନ୍ଵେଷଣରେ ଜନବସତି ମୁହାଁ ହେଉଛନ୍ତି । ଜଙ୍ଗଲ ସମ୍ପଦ ଅବକ୍ଷୟ ରୋକିବା ଏବଂ ଦିନକୁଦିନ ବୃଦ୍ଧି ପାଉଥିବା ବନ୍ୟଜନ୍ତୁ ଉପଦ୍ରବ ରୁ ଚାଷୀକୁଳ ଙ୍କ ଫସଲ ରକ୍ଷା କରିବା ଦିଗରେ ବନ ବିଭାଗର ନିଷ୍କ୍ରିୟତା ନେଇ ଚାଷୀକୁଳ ତଥା ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer