ବହୁବର୍ଷ ପୂର୍ବରୁ ଗାଁକୁ ମିଳିଛି ରାଜସ୍ବ ଗ୍ରାମର ମାନ୍ୟତା । ହେଲେ ଗାଁରେ ରହୁଛନ୍ତି ଗୋଟିଏ ମାତ୍ର ପରିବାର । ଏମିତି ଏକ ବିରଳ ଗାଁ ରହିଛି ଦେବଗଡ ଜିଲ୍ଲାରେ ।
ଦେବଗଡ଼ ୨୩/୩ (ସରୋଜ ଶତପଥୀ ) – ଦେବଗଡ ଜିଲ୍ଲା ବାରକୋଟ ବ୍ଲକ କଣ୍ଟାପାଲି ପଞ୍ଚାୟତ ଅନ୍ତର୍ଗତ କୈଦନ୍ତା ଗାଁ । ଦୁର୍ଗମ ପାହାଡ ଘେରା ଅଞ୍ଚଳ ମଧ୍ୟରେ ରହିଛି ଏହି ଗାଁ । ବହୁବର୍ଷ ପୂର୍ବରୁ ଏହି ଗାଁ କୁ ମିଳିଛି ରାଜସ୍ବ ଗାଁ ର ମାନ୍ୟତା । ମାତ୍ର ବିଡମ୍ବନା ଯେ, ଏହି ଗାଁରେ ବସବାସ କରୁଛନ୍ତି ଗୋଟିଏ ମାତ୍ର ପରିବାର । ପରିବାର ମଧ୍ୟରେ ଅଛନ୍ତି କେବଳ ସ୍ୱାମୀ ଓ ସ୍ତ୍ରୀ । ରାଜା ରାଜୁଡ଼ା ସମୟରେ କୈଦନ୍ତା ଗାଁରେ ଅନେକ ପରିବାର ବସବାସ କରି ଆସୁଥିଲେ । ସେହି ଦୃଷ୍ଟିରୁ ଏହି ଗାଁ କୁ ରାଜସ୍ୱ ଗାଁ ର ମାନ୍ୟତା ପ୍ରାପ୍ତ ହୋଇଥିଲା । ମାତ୍ର ଏଯାଏଁ ଏହି ଗାଁ କୁ ଯାତାୟାତର ସୁବିଧା ହୋଇପାରିଲା ନାହିଁ । ଲୋକେ ଦୀର୍ଘବର୍ଷ ଧରି ଦୁର୍ଗମ ପାହାଡ଼ିଆ ପାଦଚଲା ରାସ୍ତା ଅତିକ୍ରମ କରି ଗାଁ କୁ ଯାତାୟାତ କରୁଥିଲେ । ଗାଁ କୁ ଯାତାୟାତ ସୁବିଧା ନଥିବାରୁ ଗାଁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ଭଳି ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ଅଧିକାଂଶ ସମୟ ଗାଁରେ ହାତୀ ଉପଦ୍ରବ ଦେଖା ଦେଇଥିଲା । ଯାତାୟାତ ସୁବିଧା ନଥିବା ବେଳେ, ଏହି ଦୁର୍ଗମ ପ୍ରାନ୍ତରେ ବାରମ୍ବାର ହାତୀ ଉପଦ୍ରବ ଗାଁ ଲୋକଙ୍କୁ ଅତିଷ୍ଠ କରି ଦେଇଥିଲା । ଏସଂପର୍କରେ ଗାଁ ଲୋକେ ଦୀର୍ଘବର୍ଷ ପର୍ଯ୍ୟନ୍ତ ପ୍ରଶାସନକୁ ଜଣାଇ ଆସୁଥିଲେ ସୁଦ୍ଧା, ସମସ୍ୟାର ନିରାକରଣ ପାଇଁ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲା । ଫଳରେ ଗାଁ ଲୋକେ ବାଧ୍ୟହୋଇ ନିଜନିଜ ଭିଟାମାଟି ଛାଡ଼ି ଆଖପାଖ ଗାଁକୁ ଚାଲିଯାଇ ସେଠାରେ ବସବାସ କରିଆସୁଛନ୍ତି ।

ମାତ୍ର ନିଜ ଭିଟାମାଟିର ମୋହ ଛାଡ଼ିନପାରି ଏବେବି ଏହି ଗାଁରେ ବସବାସ କରୁଛନ୍ତି ଗୋଟିଏ ମାତ୍ର ପରିବାର । ଏହି ଗୋଟିଏ ମାତ୍ର ପରିବାର ମଧ୍ୟରେ ଅଛନ୍ତି ଦେବୀ ସିଂହ ଓ ତାଙ୍କ ସ୍ତ୍ରୀ । ଦୀର୍ଘବର୍ଷ ହେଲା ଏହି ଦମ୍ପତି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ, ଗୋପାଳନ, ଦହି, ଲିଚୁ ଓ ଆମ୍ବ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଗ୍ରାମରେ ବିଦ୍ୟୁତ୍ ସେବା ନାହିଁ। କିଛିବର୍ଷ ପୂର୍ବରୁ ପ୍ରଶାସନ ପକ୍ଷରୁ ଏହି ଗାଁରେ ସୋଲାର ଲାଇଟ୍ ବ୍ୟବସ୍ଥା କରାଯାଇଛି ସତ, କିନ୍ତୁ ତାହା କେତେବେଳେ କାମ କରୁଛି ତ କେତେବେଳେ ଅଚଳ। ପାନୀୟ ଜଳର କୌଣସି ବ୍ୟବସ୍ଥା ନାହିଁ। ଯେଉଁ କୂଅ ରହିଛି, ତାହା ବି ଖରାଦିନେ ଶୁଖି ଯାଉଥିବାରୁ ପିଇବା ପାଣି ପାଇଁ ଏହି ଦମ୍ପତି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚାରିଆଡ଼େ ପାହାଡ଼ିଆ ଘଞ୍ଚ ଜଙ୍ଗଲ ଥିବା ହେତୁ ଗାଁରେ ସବୁବେଳେ ହାତୀ, ବାରହା, ଭାଲୁ ଆଦି ହିଂସ୍ର ବନ୍ୟଜନ୍ତୁଙ୍କ ଭୟ ଲାଗିରହିଛି । ବିଭିନ୍ନ ସମୟରେ ହାତୀପଲ ତାଙ୍କ ଘର ମଧ୍ୟ ଭାଙ୍ଗି ଦେଉଛି। ତଥାପି ଏଭଳି ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଏହି ଦୁର୍ଗମ ଗାଁରେ ବସବାସ କରି ଆସୁଛନ୍ତି ଉକ୍ତ ପରିବାର ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ରାଜାରାଜୁଡ଼ା ଅମଳରୁ ଦେବଗଡ ଜିଲ୍ଲାର କୈଦନ୍ତା ଗାଁ ସରକାରୀ ନଥିପତ୍ରରେ ଏକ ରାଜସ୍ବ ଗାଁ ର ମାନ୍ୟତା ପାଇଛି ସିନା, ହେଲେ ଏହି ଗାଁକୁ କେବେବି ପହଞ୍ଚି ପାରିନି ପ୍ରଶାସନ । ସରକାରୀ ସୁବିଧା ଯେପରି ଏଠାରେ ସାତସ୍ଵପ୍ନ ହୋଇ ରହିଯାଇଛି । ମୌଳିକ ସେବା ନପାଇ ଲୋକେ ଗାଁ ଛାଡ଼ିଛନ୍ତି । କ୍ରମାଗତ ଭାବେ ପ୍ରଶାସନିକ ଅବହେଳା କାରଣରୁ କୈଦନ୍ତା ଗାଁ ଆଜି ଜନଶୂନ୍ୟ ହୋଇଯାଇ ନିଜ ଅସ୍ତିତ୍ୱ ହରାଇଛି । ଏହା ବିଡମ୍ବନା ନୁହେଁ ତ ଆଉ କଣ ହୋଇପାରେ ?



