ଛାତ୍ରୀଙ୍କୁ ପ୍ରେମାପାଠ ପଢ଼ାଉଥିଲେ ପ୍ରିନ୍ସିପାଲ ।
ସରକାରୀ ଆଇଟିଆଇ ପ୍ରିନ୍ସିପାଲ ଙ୍କ ବିରୋଧରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଦେବଗଡ ଥାନାରେ ଏନେଇ ରୁଜୁ ହୋଇଛି ମାମଲା । ପ୍ରିନ୍ସିପାଲ ଫେରାର !
ଦେବଗଡ଼ ୨୦/୪ – ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁଗୃହ ‘ସପୋର୍ଟ’ର ଜଣେ ଅସହାୟ ନାବାଳିକା ଙ୍କୁ ଆଇଟିଆଇର ପ୍ରିନ୍ସିପାଲ ଯୌନ ନିର୍ଯ୍ୟାତନା ଦେଉଥିବା ନେଇ ଦେବଗଡ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏନେଇ ପୀଡ଼ିତା ଜଣକ ବାରକୋଟ ଥାନାରେ ଅଭିଯୋଗ କରିଛନ୍ତି। ଏଭଳି ସଙ୍ଗୀନ ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ପ୍ରତିବର୍ଷ ମାଟ୍ରିକ ପାସ୍ ପରେ ଶିଶୁଗୃହର ଅନ୍ତେବାସୀ ମାନେ ବାରକୋଟ ସ୍ଥିତ ସରକାରୀ ଆଇଟିଆଇ (ITI) ରେ ବୈଷୟିକ ଶିକ୍ଷା ପାଇଁ ନାମ ଲେଖାନ୍ତି | ଗତବର୍ଷ ମଧ୍ୟ ଶିଶୁଗୃହ ସପୋର୍ଟର କେତେଜଣ ଅନ୍ତେବାସୀ ଏହି ନାମ ଲେଖାଇଥିଲେ। ଏହି ପିଲାମାନେ ଆଇଟିଆଇ ର ହଷ୍ଟେଲରେ ରହନ୍ତି ଓ ଛୁଟିହେଲେ ପୁଣି ଶିଶୁଗୃହକୁ ଫେରନ୍ତି । କାରଣ ଶିଶୁଗୃହର ପରିଚାଳକ ସେମାନଙ୍କ ସ୍ଥାନୀୟ ଅଭିଭାବକ ଦାୟିତ୍ଵରେ ରହିଥାନ୍ତି। ଏହିକ୍ରମରେ ଏବେ ଛୁଟିରେ ଶିଶୁଗୃହକୁ ଫେରିଥିବା ଜଣେ ନାବାଳିକାଙ୍କ ପାଖରେ ଦାମୀ ଉପହାର, ଟଙ୍କା ଓ ମୋବାଇଲ ଥିବାର ଜଣାପଡ଼ିଥିଲା। ଏପରିକି ଅନ୍ଲାଇନରେ ତାଙ୍କ ପାଖକୁ ଉପହାର ମଧ୍ୟ ଆସିଥିଲା। ଏହି ଘଟଣା ସମ୍ପର୍କରେ ଶିଶୁଗୃହର ଶିଶୁ ମଙ୍ଗଳ ଅଧିକାରୀ ସତ୍ୟପ୍ରିୟା ପ୍ରଧାନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶିଶୁଗୃହର କାଉନସେଲର ସୁଭଦ୍ରା ସାହୁ ନାବାଳିକାଙ୍କୁ ପଚାରି ତଦନ୍ତ ରିପୋର୍ଟ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିଲେ।
ଯୌନ ନିର୍ଯାତନାର ଶିକାର ହୋଇଥିବା ନାବାଳିକା ଜଣକ ଅଭିଯୋଗ କରିଥିଲେ ଯେ, ବାରକୋଟ ସରକାରୀ ଆଇଟିଆଇ ର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ା ଗତ ଏକମାସ ହେବ ତାଙ୍କ ଅନିଚ୍ଛା ସତ୍ତ୍ବେ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଥିଲେ। ଅନ୍ୟ ଛାତ୍ରଛାତ୍ରୀ ମାନେ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ହଷ୍ଟେଲ ୱାର୍ଡେନ ସଂପୃକ୍ତା ନାବାଳିକାଙ୍କୁ ଅଧ୍ୟକ୍ଷଙ୍କ ରୁମ୍କୁ ଖାଇବା ନେଇକି ଦେବା ପାଇଁ ବାଧ୍ୟ କରୁଥିଲେ। ଏପରିକି ଅଧ୍ୟକ୍ଷ ଶ୍ରୀ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ରୁମ୍ରେ ଝାଡୁପୋଛା, ଫୁଲ ତୋଳିବା, ହାତଗୋଡ଼ ଘଷିବା ପାଇଁ ନାବାଳିକାଙ୍କୁ ବାଧ୍ଯ କରାଯାଉଥିଲା। ନାବାଳିକାଙ୍କ ମନ ଭୁଲାଇବା ପାଇଁ ନିଜ କାରରେ ଅଧ୍ୟକ୍ଷ ଶ୍ରୀ ପରିଡ଼ା ବିଭିନ୍ନ ସ୍ଥାନକୁ ନେଇ ଗୁପ୍ଚୁପ, ଚାଓମିନ, ଆଇସକ୍ରିମ ଖାଇବାକୁ ଦେବା ସହ ଦାମୀ ଉପହାର ମଧ୍ୟ ଦେଉଥିଲେ । ଗତ ଏକମାସ ହେବ ପୀଡ଼ିତାଙ୍କୁ ଅଧ୍ୟକ୍ଷ ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଇ ଆସୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି। ଏ ଘଟଣା ନଜରକୁ ଆସିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ମହାପାତ୍ର, ସପୋର୍ଟ ଶିଶୁଗୃହର ପରିଚାଳକ ଚନ୍ଦ୍ରଶେଖର ସାହୁ ଓ କାଉନସେଲର ସୁଭଦ୍ରା ସାହୁ ପୀଡ଼ିତାଙ୍କ ସହ ବାରକୋଟ ଥାନାକୁ ଯାଇ ଅଧ୍ୟକ୍ଷ ଶ୍ରୀ ପରିଡ଼ାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଏସଂକ୍ରାନ୍ତରେ ବାରକୋଟ ପୋଲିସ ପକ୍ଷରୁ କେସ୍ ନଂ ୧୬୧/୨୬ରେ ବିଭିନ୍ନ ଦଫା ବିଏନ୍ଏସ ୬୪(୨)(ଏଫ୍) , ୬୪(୨)(ଏମ୍) ଓ ପୋକ୍ସୋ-୬ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ସୂଚନା ମିଳିଛି।
ଏହି ଘଟଣା ପରେ ଆଇଟିଆଇ ର ପ୍ରିନ୍ସିପାଲ ଶ୍ରୀ ପରିଡ଼ା ଫେରାର୍ ଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ତେବେ ସମ୍ପୃକ୍ତ ପ୍ରିନ୍ସିପାଲ ଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଦେବଗଡ ଏସ ପି ସୂଚନା ଦେଇଛନ୍ତି ।



