Explore

Search
Close this search box.

Search

April 23, 2026 4:19 pm

ଦେବଗଡ ଜିଲ୍ଲାରେ ରିଆମାଳ ବ୍ଲକକୁ ବିଭାଜନ କରି ନୂତନ ବ୍ଲକ ଗଠନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲେ ଅଞ୍ଚଳବାସୀ ।

ଦେବଗଡ ଜିଲ୍ଲାରେ ରିଆମାଳ ବ୍ଲକକୁ ବିଭାଜନ କରି ଆଉଏକ ନୂତନ ବ୍ଲକ ଗଠନ ପାଇଁ ଦିଆଯାଇଛି ପ୍ରସ୍ତାବ । ସରକାରଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ରିଆମାଳ ବ୍ଲକ ଅଧିନ ୧୪ ଟି ପଞ୍ଚାୟତ ବାସୀ । ଅଧିକ ଜନସଂଖ୍ୟା , ଅଧିକ ଗ୍ରାମ ପଞ୍ଚାୟତ ତଥା ବିଷେଶକରି  ରିଆମାଳ ବ୍ଲକର ଭୌଗଳିକ ପରିସୀମା ଆଦି ଦିଗକୁ ବିଚାର କରି କରଲଗା କିମ୍ବା ଆଖପାଖ ଅଞ୍ଚଳରେ ଆଉ ଏକ ନୂତନ ବ୍ଲକ କାର୍ଯ୍ୟାଳୟ ସ୍ଥାପନ କରାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ପଞ୍ଚାୟତ ଲୋକପ୍ରତିନିଧି ଓ ଅଞ୍ଚଳବାସୀ ।

ସୁଚନା ଯୋଗ୍ୟ ଯେ, ଗତ କିଛିଦିନ ପୂର୍ବରୁ ରାଜ୍ୟରେ ନୂତନ ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ନେଇ ସରକାରଙ୍କ ଯୋଜନା ଥିବା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଥିଲେ । ଲୋକଙ୍କୁ ସୁଶାସନ ଦେବା ତଥା ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଗରିବ କଲ୍ୟାଣ ଯୋଜନା ଗୁଡ଼ିକ ଲୋକଙ୍କ ନିକଟକୁ ସହଜରେ ପହଞ୍ଚାଇବା ନିମନ୍ତେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ପଞ୍ଚାୟତ ଓ ବ୍ଲକ ପୁନର୍ଗଠନ ପାଇଁ ନିୟମ ରହିଛି । ମାତ୍ର ଦୀର୍ଘବର୍ଷ ହେଲା ଏହା ହୋଇପାରିନାହିଁ । ତେଣୁ ରାଜ୍ୟରେ ବିଜେପି ସରକାର ଏନେଇ ପ୍ରସ୍ତୁତି କରୁଥିବା ମନ୍ତ୍ରୀ ସୂଚନା ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ସର୍ବାଧିକ ୨୬ ଟି ଗ୍ରାମ ପଞ୍ଚାୟତ ଥିବା ଦେବଗଡ ଜିଲ୍ଲାର ରିଆମାଳ ବ୍ଲକକୁ ବିଭାଜନ କରି ସେଥିମଧ୍ୟରୁ ୧୪ ଟି ପଞ୍ଚାୟତକୁ ନେଇ ଆଉଏକ ନୂତନ ବ୍ଲକ ଗଠନ କରାଯିବାକୁ ଅଞ୍ଚଳବାସୀ ପ୍ରସ୍ତାବ ଦେଇଛନ୍ତି । ସେ ସମସ୍ତ ପଞ୍ଚାୟତ ଗୁଡ଼ିକ ହେଲା ଖିଲେଇ , ନୁଆଁଡିହି, ବାଘବର, ପଲସମା, କଣ୍ଟାବାହାଳ, ଉଟୁଣିଆ, ଲୁଲଙ୍ଗ, କରଲଗା, କୁଣ୍ଢେଇଗୋଳା, ବୁଢ଼ାପାଳ, ଚଢ଼େଇମରା, ପରା, ନୁଆଁପଡା ଓ ତୁଙ୍ଗାମାଳ ।  ଗତ ୨୦୧୮/୧୯ ମସିହା ଜନଗଣନା ଅନୁଯାୟୀ ଏହି ବ୍ଲକର ଜନସଂଖ୍ୟା ୧୦୬୨୮୪ ଥିବାବେଳେ , ସେଥିମଧ୍ୟରୁ ଉପରୋକ୍ତ ୧୪ ଟି ପଞ୍ଚାୟତର ଜନସଂଖ୍ୟା ହେଉଛି ୫୩୪୫୬ । ଜନସଂଖ୍ୟା ଓ ଭୌଗଳିକ ପରିସୀମା ଆଧାରରେ ରିଆମାଳ ବ୍ଲକକୁ ବିଭାଜନ କରାଯାଇ ଆଉଏକ ନୂତନ ବ୍ଲକ ଗଠନ କରାଯିବାକୁ ଉପରୋକ୍ତ ପଞ୍ଚାୟତର ଲୋକପ୍ରତିନିଧି ଓ ଜନସାଧାରଣ ରାଜ୍ୟ ସରକାରଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି ।
୧୯୯୪ ମସିହା ଜାନୁଆରୀ ପହିଲାରେ ଦେବଗଡ ଏକ ସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ରିଆମାଳ, ବାରକୋଟ ଓ ତିଲେଇବଣି ଆଦି ତିନୋଟି ବ୍ଲକକୁ ନେଇ ଗଠିତ ହୋଇଥିଲା ଦେବଗଡ ଜିଲ୍ଲା । ସେହିଦିନ ଠାରୁ ଜିଲ୍ଲାରେ ଗ୍ରାମ ପଞ୍ଚାୟତ ସଂଖ୍ୟା ବୃଦ୍ଧି ପାଇଥିଲେ ସୁଦ୍ଧା ଆଉ ନୂତନ ବ୍ଲକ ଗଠିତ ହୋଇପାରିନାହିଁ । ତେଣୁ ଶାସନ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ନିମନ୍ତେ ଜିଲ୍ଲାରେ ନୂତନ ବ୍ଲକ ପୁନର୍ଗଠନ ପାଇଁ ଅଞ୍ଚଳବାସୀ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି । ଏହି ମର୍ମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀ ଓ ଦେବଗଡ ଜିଲ୍ଲାପାଳଙ୍କୁ ପଞ୍ଚାୟତ ଲୋକପ୍ରତିନିଧି ଓ ଜନସାଧାରଣ ପତ୍ରାଳାପ କରିଥିବା ଜଣାଯାଇଛି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer