Explore

Search
Close this search box.

Search

April 17, 2026 2:02 pm

କିଏ ହେବ ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କିଏ ହେବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ? ଏହାକୁ ନେଇ ଜୋର୍ ଧରିଛି କଳ୍ପନାଜଳ୍ପନା । ବିଜେପିର ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହେବାରେ ଲାଗିଥିବା ବେଳେ, ଏହି ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେବଗଡ ୧୨/୭ (ସରୋଜ ଶତପଥୀ) – ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୌଡ଼ରେ ଅନେକ ନେତାଙ୍କ ନାମ ସାମିଲ ଅଛି । ସେମାନଙ୍କ ମଧ୍ୟରେ ପ୍ରମୁଖ ହେଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ଓଡ଼ିଶାର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଏବଂ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । ଏମାନଙ୍କ ବ୍ୟତୀତ ମହିଳା ପ୍ରାର୍ଥୀ ଭାବରେ ନିର୍ମଳା ସୀତାରମଣଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ବର୍ତ୍ତମାନର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡାଙ୍କ କାର୍ଯ୍ୟକାଳ ଗତ ଜାନୁଆରୀ ୨୦୨୩ ମସିହାରେ ଶେଷ ହୋଇଥିଲା, କିନ୍ତୁ ୨୦୨୪ ମସିହା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ତାଙ୍କର କାର୍ଯ୍ୟକାଳ ଜୁନ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସେହିଦୃଷ୍ଟିରୁ ଚଳିତ ଜୁଲାଇ ୨୦୨୫ ଶେଷ ସୁଦ୍ଧା ବିଜେପିର ଜଣେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

ଏହି ପରିପ୍ରେକ୍ଷୀରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନେଇ ଚର୍ଚ୍ଚା ଯୋର୍ ଧରିଥିବା ବେଳେ, ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ୧୯୮୩ ମସିହାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର କାର୍ଯ୍ୟକର୍ତ୍ତା ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ପରେ ୧୯୯୫ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ସଂଘର ରାଷ୍ଟୀୟ ସଚିବ ଭାବେ କାର୍ଯ୍ୟରତ ଥିଲେ । ସେ ଓଡ଼ିଶା ବିଧାନ ସଭାର ଦ୍ୱାଦଶ ଅଧିବେଶନ ୨୦୦୦- ୨୦୦୪କୁ ଭାରତୀୟ ଜନତା ପାର୍ଟିର ଦଳୀୟ ପାର୍ଥୀ ଭାବେ ପାଳଲହଡ଼ା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ବିଧାନ ସଭା ବିତର୍କରେ ସକ୍ରିୟ ଅଂଶ ଗ୍ରହଣ କରି ନିଜ ପାଇଁ ଏକ ବିଶେଷ ସ୍ଥାନ ତିଆରି କରିଥିଲେ । ସେଥି ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ସେ ଉତ୍କଳମଣି ପ୍ରତିଭା ସମ୍ମାନ ପାଇଥିଲେ ।ବିଜେପିର ସାଧାରଣ ସମ୍ପାଦକ ହେବା ସହ ତାଙ୍କୁ ଅଗଷ୍ଟ ୨୦୧୧ରେ ଝାଡଖଣ୍ଡ ଦଳୀୟ କାର୍ଯ୍ୟକାରିଣୀର ସାଙ୍ଗଠନିକ ଅତିରିକ୍ତ ଉତ୍ତରଦାୟିତ୍ଵ ଦିଆଗଲା । ଧର୍ମେନ୍ଦ୍ର ପ୍ରଧାନ ଭାରତର ଚତୁର୍ଦ୍ଦଶ ଲୋକସଭାର ଜଣେ ଦକ୍ଷ ସଦସ୍ୟ ଥିଲେ । ସେ ପ୍ରଥମେ ୨୦୦୪ ମସିହାରେ ଓଡ଼ିଶାର ଦେବଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ୨୦୧୨ରୁ ୨୦୧୮ ବିହାରରୁ ରାଜ୍ୟସଭା ସାଂସଦ ରହିଥିବା ବେଳେ, ଏପ୍ରିଲ ୨୦୧୮ ରେ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ରହିଥିଲେ । ୨୦୧୪ ମସିହାରେ ନରେନ୍ଦ୍ର ମୋଦିଙ୍କ ସରକାର ଗଠନ ହେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ମିଳିଥିଲା । କ୍ରମାଗତ ୫ ବର୍ଷ ଧରି ଜଣେ ବ୍ୟକ୍ତି ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରି ରେକର୍ଡ ସ୍ଥାପନ କରିଥିଲେ । ତାଙ୍କର ଦକ୍ଷତାର ସ୍ୱୀକୃତି ସ୍ୱରୁପ ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଦ୍ୱିତୀୟ ଥର ମଧ୍ୟ ଶ୍ରୀ ପ୍ରଧାନଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଦାୟିତ୍ୱ ମିଳିଲା । ପେଟ୍ରୋଲିୟମ ମନ୍ତ୍ରାଳୟକୁ ଏକ କର୍ପୋରେଟ ମନ୍ତ୍ରାଳୟରୁ ଗରିବ ଓ ବିଶେଷ ଭାବରେ ଗରିବ ମହିଳାଙ୍କ ପାଇଁ କାମ କରୁଥିବା ବିଭାଗର ସ୍ୱୀକୃତି ମିଳିବାରେ ତାଙ୍କର ସବୁଠାରୁ ବଡ଼ ଅବଦାନ ରହିଛି । ଆଜି ଉଜ୍ଜଳା ଯୋଜନା ମହିଳା ସଶକ୍ତିକରଣର ଦିଶା ପରିବର୍ତ୍ତନ କରି ପାରିଛି । କେବଳ ଏତିକି ନୁହଁ, ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରକ୍ରିୟାରେ ସରକାରଙ୍କ କୋର କମିଟିର ସଦସ୍ୟ ଭାବରେ ଶ୍ରୀ ପ୍ରଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଳନ କରିଛନ୍ତି ।

ଗତ ୨୦୨୪ ମସିହା ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫,୯୨,୧୬୨ ଖଣ୍ଡ ଭୋଟ ପାଇ ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କୁ ୧,୧୯,୮୩୬ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ । ୨୦୨୪ ମସିହାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏନ ଡି ଏ ସରକାରରେ ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଦାୟୀତ୍ବ ତୁଲାଇ ଆସୁଛନ୍ତି । ଅତୀତରେ ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ଦାୟୀତ୍ବ ନେଇ ସେ ନିଜ ଦକ୍ଷତା ଓ ପାରଦର୍ଶିତା ଜାହିର କରିବା ସହ ରାଷ୍ଟ୍ରୀୟ ବିଜେପିର ଜଣେ ଦୃଢ଼ ସଂଗଠକ ଓ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟତର ଓ ବିଶ୍ୱାସ ଭାଜନ ହୋଇପାରିଛନ୍ତି । ସେହି ଦୃଷ୍ଟିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦବୀ ମିଳିବାର ସମ୍ଭାବନା ଥିବା ରାଜନୈତିକ ମହଲରେ ଆକଳନ କରାଯାଉଛି ।

ତେବେ ଏହିସବୁ ଆଲୋଚନା ଓ ପର୍ଯ୍ୟାଲୋଚନା ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅତି ନିକଟତର ଓ ବିଶ୍ଵସ୍ତ ନେତାଙ୍କୁ ପରବର୍ତ୍ତୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦେଖିବାକୁ ଚାହିଁବେ । ସେହି ଦୃଷ୍ଟିରୁ ଏହି ପରୀକ୍ଷାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କିଭଳି ଉତ୍ତୀର୍ଣ୍ଣ ହେଉଛନ୍ତି, ସେଥିପ୍ରତି ରହିଛି ସମସ୍ତଙ୍କ ନଜର ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer