ଆଜି ଅଗଷ୍ଟ ୧୫ ତାରିଖ ଠାରୁ ସାରା ଦେଶରେ ଆରମ୍ଭ ହୋଇଛି ବାର୍ଷିକ ଟୋଲ ପାସ ବ୍ୟବସ୍ଥା। ସରକାରଙ୍କ ଏହି ପାସ ବ୍ୟବସ୍ଥାରେ ବର୍ଷେ ପର୍ଯ୍ୟନ୍ତ ଲୋକଙ୍କୁ ମୋଟା ଅଙ୍କର ଦେୟ ଦେବାକୁ ପଡ଼ିବ ନାହିଁ। ବାର୍ଷିକ ଭାବେ ଏହାର ମୂଲ୍ୟ ୩ ହଜାର ଟଙ୍କା ରଖାଯାଇଛି। ଏହାଦ୍ୱାରା ଯେକୌଣସି ବାହାନ ଚାଳକ ୨୦୦ ଟ୍ରିପ୍ କରିପାରିବେ।
କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କିଛିଦିନ ପୂର୍ବରୁ ଏନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ ଟୋଲ ବ୍ୟବସ୍ଥାକୁ ଅଧିକ ସୁଗମ କରିବା ପାଇଁ ଟୋଲ ଟ୍ୟାକ୍ସ ରେ ବାର୍ଷିକ ପ୍ଲାନ୍ ଅନ୍ତର୍ଭୁକ୍ତ କରାଯାଇଛି । ବାର୍ଷିକ FASTag ଜରିଆରେ ମାତ୍ର ୧୫ ଟଙ୍କାରେ ବାହାନ ଚାଳକ ଟୋଲ ପ୍ଲାଜା ପାର କରିପାରିବେ। ବାର୍ଷିକ ଭାବେ ଏହାର ମୂଲ୍ୟ ୩ ହଜାର ଟଙ୍କା ରଖାଯାଇଛି। ଏହାଦ୍ୱାରା ଯେକୌଣସି ବାହାନଚାଳକ ୨୦୦ ଟ୍ରିପ୍ କରିପାରିବେ। ଅର୍ଥାତ ବ୍ୟବହାରକାରୀ ଏକ ବର୍ଷ ମଧ୍ୟରେ ୩,୦୦୦ ଟଙ୍କାର ଏକକାଳୀନ ରିଚାର୍ଜରେ ୨୦୦ ରାଜମାର୍ଗ ଟୋଲ ବୁଥ ଅତିକ୍ରମ କରିପାରିବେ।
ଆଜି (ଶୁକ୍ରବାର) ଠାରୁ ଏହା ଦେଶରେ ଲାଗୁ ହୋଇଛି। ସରକାର FASTag ଆଧାରିତ ବାର୍ଷିକ ପାସର ବିକ୍ରି ଆରମ୍ଭ କରିଛନ୍ତି। ଏହି ବାର୍ଷିକ ପାସ କେବଳ ଅଣ ବାଣିଜ୍ୟକ ଓ ଘରୋଇ ଯାନ ଯଥା କାର, ଜିପ ଓ ଭ୍ୟାନ ପାଇଁ ପ୍ରଯୁଜ୍ୟ। ଏହା ଦ୍ୱାରା FASTag କାର୍ଡକୁ ବାରମ୍ବାର ରିଚାର୍ଜ ନକରି ଜାତୀୟ ରାଜମାର୍ଗରେ ନିରବଚ୍ଛିନ୍ନ ଯାତ୍ରା ସମ୍ଭବ ହେବ ।
ବାର୍ଷିକ FASTag କିପରି କିଣିବେ ?
ପ୍ରଥମେ ଗୁଗଲ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ରାଜମାର୍ଗ ଯାତ୍ରା (Rajmarg Yatra) ଆପ୍ ଡାଉନଲୋଡ କରନ୍ତୁ କିମ୍ବା ନିଜର ରେଜିଷ୍ଟର୍ଡ ମୋବାଇଲ ନମ୍ବର ଦ୍ୱାରା NHAI/MoRTHର ଆଧିକାରିକ ପୋର୍ଟାଲରେ ଲଗ୍ଇନ୍ କରନ୍ତୁ । ଲଗ୍ଇନ୍ ନ କରିବାକୁ ଚାହିଁଲେ, ସିଧାସଳଖ ନିଜ ଯାନର ପଞ୍ଜୀକରଣ ନମ୍ବର ଓ ଫାଷ୍ଟାଗ ଆଇଡି ପ୍ରବେଶ କରନ୍ତୁ। ଆପ କିମ୍ବା ପୋର୍ଟାଲ ବ୍ୟାକଏଣ୍ଡ ଯାଞ୍ଚ ମାଧ୍ୟମରେ ନିଶ୍ଚିତ କରିବ ଯେ FASTag ସକ୍ରିୟ ଅଛି, ସଠିକ ଭାବେ ଯାନ ସହ ସଂଯୁକ୍ତ ଅଛି ଏବଂ ସଠିକ ଯାନ ପଞ୍ଜୀକରଣ ନମ୍ବର ସହ ଲିଙ୍କ ହୋଇଛି। ଏହା ସହ ଫାଷ୍ଟାଗ ବ୍ଲାକଲିଷ୍ଟେଡ ନାହିଁ ତାହା ମଧ୍ୟ ଯାଞ୍ଚ କରାଯିବ। ସମସ୍ତ ବ୍ୟାକଏଣ୍ଡ ଯାଞ୍ଚ ସମାପ୍ତ ହେବା ପରେ, ବ୍ୟବହାରକାରୀଙ୍କୁ ବିଭିନ୍ନ FASTag ରିଚାର୍ଜ ଯୋଜନା ଦେଖାଯିବ। ଏଥିରୁ ୩,୦୦୦ ଟଙ୍କାର ବାର୍ଷିକ ପାସ ବିକଳ୍ପ ଚୟନ କରିବାକୁ ହେବ। ଏହାପରେ, ବ୍ୟବହାରକାରୀଙ୍କୁ UPI, ଡେବିଟ୍/କ୍ରେଡିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଂ ଭଳି ଦେୟ ବିକଳ୍ପକୁ ପଠାଯିବ। ବାର୍ଷିକ ପାସର ଦେୟ FASTag ୱାଲେଟ ବାଲାନ୍ସରୁ କରାଯାଇ ପାରିବନାହିଁ। ଦେୟ ସଫଳ ହେବା ପରେ ବାର୍ଷିକ ପାସ ବର୍ତ୍ତମାନର FASTag ଖାତା ଓ ଯାନ ପଞ୍ଜୀକରଣ ସହ ଲିଙ୍କ ହେବ। ଶେଷରେ ବ୍ୟବହାରକାରୀଙ୍କୁ ଏକ sms ମିଳିବ, ଯେଉଁଥିରେ ସୂଚନା ଦିଆଯିବ ଯେ ସେମାନଙ୍କ FASTag ୧୫ ଅଗଷ୍ଟରୁ ସକ୍ରିୟ ହେବ।



