ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ପୁଣି ବଢିଲା ବାତ୍ୟାର ଭୟ । ସମ୍ଭାବ୍ୟ ବାତ୍ୟା ନେଇ ସତର୍କ କଲା ପାଣିପାଗ ବିଭାଗ ।
ପୁଣି ବଢିଲା ବାତ୍ୟା ଭୟ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଶୁକ୍ରବାର (ଆଜି) ସକାଳ ୫.୩୦ ମିନିଟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୬ ତାରିଖ ସକାଳେ ଏହା କେନ୍ଦ୍ରୀୟ ପଶ୍ଚିମ ବଙ୍ଗୋପସାଗର ଉପରେ ଘନୀଭୂତ ହୋଇ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି । IMD ତଥ୍ୟ ଅନୁସାରେ, ଏହି ଲଘୁଚାପ କ୍ଷେତ୍ରଟି ଆଗାମୀ ଦିନ ଗୁଡ଼ିକରେ ଧୀରେ ଧୀରେ ଶକ୍ତିଶାଳୀ ହୋଇ ଘୂର୍ଣ୍ଣିବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଫଳରେ ସମ୍ଭାବ୍ୟ ବାତ୍ୟା ନେଇ ପୁଣି ଥରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି । ଯଦି ଏହା ବାତ୍ୟାର ରୂପ ନିଏ ତେବେ ଏହାର ନାଁ ମୋନ୍ଥା ଦିଆଯିବ । ଏହି ନାଁ ଥାଇଲ୍ୟାଣ୍ଡ ଦ୍ୱାରା ପ୍ରସ୍ତାବିତ ହୋଇଛି ।
ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ସହ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପାଣିପାଗ ବିଭାଗ ବାରଣ କରିଛି । ତେବେ ଆସନ୍ତା ତିନି ଦିନ ମଧ୍ୟରେ ସାମ୍ଭାବ୍ୟ ବାତ୍ୟାର ଗତିପଥ ଚିତ୍ର ସ୍ପଷ୍ଟ ହେବ ବୋଲି ପାଣିପାଗ ସୂତ୍ରରୁ ଜଣାଯାଇଛି ।



