Explore

Search
Close this search box.

Search

April 17, 2026 2:06 pm

ଦେବଗଡ : କଠିନ ସଂଘର୍ଷକୁ ଜୟ କରି ବିଶ୍ୱ ଶିଖରରେ ପହଞ୍ଚିଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଶଶିଭୂଷଣ ମାଝୀ ।

କଠିନ ସଂଘର୍ଷକୁ ଜୟ କରି ବିଶ୍ୱ ଶିଖରରେ ପହଞ୍ଚିଲେ ଆନ୍ତର୍ଜାତୀୟ ପର୍ବତାରୋହୀ ଶଶିଭୂଷଣ ମାଝୀ । ପିଲାଟି ଦିନରୁ ପର୍ବତାରୋହଣ ପ୍ରତି ରୁଚି ରଖିଥିବା ଶଶିଭୂଷଣ ଜିଲ୍ଲାର ବିଭିନ୍ନ ପର୍ବତ ଚଢ଼ି ନିଜର ଅଭ୍ୟାସ ଆରମ୍ଭ କରିଥିଲେ। ଆଜି ସେହି ସ୍ୱପ୍ନ ଆନ୍ତର୍ଜାତୀୟ ସଫଳତାରେ ପରିଣତ ହୋଇଛି।

ଦେବଗଡ ୨୭/୧୨ (ସ୍ଵତନ୍ତ୍ର ରିପୋର୍ଟ) –  ଦେବଗଡ଼ ଜିଲ୍ଲା ପାଇଁ ଗର୍ବ ଓ ସମଗ୍ର ଓଡ଼ିଶା ପାଇଁ ସମ୍ମାନ ଆଣିଛନ୍ତି ଆନ୍ତର୍ଜାତୀୟ ପର୍ବତାରୋହୀ ଶଶିଭୂଷଣ ମାଝୀ । ତିଲେଇବଣି ବ୍ଲକ୍‌ ଅନ୍ତର୍ଗତ ବ୍ରଜମୋହନପୁର ଗାଁର ବାସିନ୍ଦା ଶଶିଭୂଷଣ ମାଝୀ ନିଜର ଅଦମ୍ୟ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ନିଷ୍ଠା ବଳରେ ପର୍ବତାରୋହଣ କ୍ଷେତ୍ରରେ ଆନ୍ତର୍ଜାତୀୟ ସଫଳତା ହାସଲ କରିଛନ୍ତି।
ଶଶିଭୂଷଣ ମାଝୀ ହେଉଛନ୍ତି ବ୍ରଜମୋହନପୁର ଗାଁର ଅର୍ଜୁନ ମୋହନ ମାଝୀ ଓ ମାଳତୀ ମାଝୀଙ୍କ ସବୁଠାରୁ ସାନ ପୁଅ। ପିଲାଟି ଦିନରୁ ପର୍ବତାରୋହଣ ପ୍ରତି ରୁଚି ରଖିଥିବା ଶଶିଭୂଷଣ ଜିଲ୍ଲାର ବିଭିନ୍ନ ପର୍ବତ ଚଢ଼ି ନିଜର ଅଭ୍ୟାସ ଆରମ୍ଭ କରିଥିଲେ। ଆଜି ସେହି ସ୍ୱପ୍ନ ଆନ୍ତର୍ଜାତୀୟ ସଫଳତାରେ ପରିଣତ ହୋଇଛି।


ମାଉଣ୍ଟ କିଲିମାଞ୍ଜାରୋରେ ଓଡ଼ିଶାର ଗର୍ବ :

 ୨୬ ଜାନୁଆରୀ ୨୦୨୪ ତାରିଖରେ ଶଶିଭୂଷଣ ମାଝୀ  ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ (ତାଞ୍ଜାନିଆ)—ଉଚ୍ଚତା ୫,୮୯୫ ମିଟର (୧୯,୩୪୧ ଫୁଟ)ସଫଳତାର ସହିତ ଆରୋହଣ କରିଥିଲେ। ସମିଟ୍‌ରେ ସେ ଜାତୀୟ ପତାକା (ତିରଙ୍ଗା), ଶ୍ରୀଜଗନ୍ନାଥଙ୍କ ପତାକା ଓ ମାଁ ସମଲେଶ୍ୱରୀଙ୍କ ପତାକା ଉଡ଼ାଇ ରାଷ୍ଟ୍ରଗାନ ଗାଇ ଦେଶଭକ୍ତିର ଅନନ୍ୟ ପରିଚୟ ଦେଇଥିଲେ।

ମାଉଣ୍ଟ ଏଲବ୍ରୁସରେ ଐତିହାସିକ ସଫଳତା :

ତା’ପରେ ସେ ୟୁରୋପ ମହାଦେଶ ର ସର୍ବୋଚ୍ଚ ଶିଖର ମାଉଣ୍ଟ ଏଲବ୍ରୁସ (ରୁଷିଆ)—ଉଚ୍ଚତା ୫,୬୪୨ ମିଟର (୧୮,୫୧୦ ଫୁଟ) ଆରୋହଣ କରି ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି।
ଏହି ଅଭିଯାନ ଅତ୍ୟନ୍ତ କଠିନ ଓ ଚୁନୌତିପୂର୍ଣ୍ଣ ଥିଲା। ୧୫ ଅଗଷ୍ଟ ୨୦୨୪ରେ ସମିଟ୍‌ କରିବା ଲକ୍ଷ୍ୟ ଥିଲେ ମଧ୍ୟ ଭୟଙ୍କର ପାଗ, ପ୍ରବଳ ପବନ, ଅଧିକ ବରଫପାତ ଓ ଅକ୍ସିଜେନ୍ ଅଭାବ କାରଣରୁ ସମିଟ୍‌ ସମ୍ଭବ ହୋଇପାରିନଥିଲା। ଦୀର୍ଘ ସଂଘର୍ଷ ପରେ ୧୭ ଅଗଷ୍ଟ ୨୦୨୪ରେ ସେ ସଫଳତାର ସହିତ ସମିଟ୍‌ ଛୁଇଁଥିଲେ।
ସମିଟ୍‌ରେ ସେ ଜାତୀୟ ପତାକା (ତିରଙ୍ଗା) ମାଁ ସମଲେଶ୍ୱରୀଙ୍କ ପତାକା ଶ୍ରୀଜଗନ୍ନାଥଙ୍କ ପତାକା ଗୋଣ୍ଡ ସମୁଦାୟର “ସପ୍ତରଙ୍ଗୀ କୁୟାପୁନେମ ଝଣ୍ଡା” ଦେଵଗଡ଼ ଜିଲ୍ଲାର ଆରାଧ୍ୟା ଦେବୀ ମାଁ ପାଟେଶ୍ୱରୀଙ୍କ ପତାକା ଉଡ଼ାଇ ଦେଶଭକ୍ତି, ଧାର୍ମିକ ଆସ୍ଥା ଓ ଆଦିବାସୀ ସଂସ୍କୃତିକୁ ବିଶ୍ୱ ଶିଖରରେ ପ୍ରଦର୍ଶନ କରିଥିଲେ।

ସମ୍ବଲପୁରୀ ପୋଷାକରେ ବିଶ୍ୱ ଶିଖର :

ଏହି ସଫଳତାର ଆଉ ଏକ ଅନନ୍ୟ ଦିଗ ହେଉଛି, ସମିଟ୍‌ରେ ପହଞ୍ଚିବା ସମୟରେ ଶଶିଭୂଷଣ ମାଝୀ ସମ୍ବଲପୁରୀ ପୋଷାକ ପିନ୍ଧି ବିଶ୍ୱ ଶିଖରରେ ଉପସ୍ଥିତ ହୋଇ ପଶ୍ଚିମ ଓଡ଼ିଶାର ସଂସ୍କୃତି, କଳା ଓ ଅସ୍ମିତାକୁ ବିଶ୍ୱ ମଞ୍ଚରେ ଗର୍ବର ସହିତ ପ୍ରଦର୍ଶନ କରିଥିଲେ।

ଯୁବପିଢ଼ି ପାଇଁ ପ୍ରେରଣା :

ଏହି ଐତିହାସିକ ସଫଳତା ପଛରେ ମାତା–ପିତା, ପରିବାର, ଗୋଣ୍ଡ ସମୁଦାୟ, ଗ୍ରାମବାସୀ ଓ ସମସ୍ତ ଶୁଭେଚ୍ଛୁଙ୍କ ଅଟୁଟ ସହଯୋଗ ଓ ଆଶୀର୍ବାଦ ରହିଥିବା କହିଛନ୍ତି ଶଶିଭୂଷଣ। ଶଶିଭୂଷଣଙ୍କ ଏହି ସଫଳତା ଦେବଗଡ଼ ଜିଲ୍ଲା ତଥା ରାଜ୍ୟର ଯୁବପିଢ଼ି ପାଇଁ ନିଶ୍ଚୟ ଏକ ବଡ଼ ପ୍ରେରଣା, ଏଥିରେ ଦ୍ଵିମତ ନାହିଁ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer