ବିଧାୟକ, ସାଂସଦଙ୍କୁ କେମିତି ବ୍ୟବହାର କରିବେ ଅଫିସର ? ଜନପ୍ରତିନିଧି ମାନେ ସରକାରୀ କାର୍ଯ୍ୟାଳୟକୁ ଆସିଲେ କେମିତି କରିବେ ସ୍ୱାଗତ ? ସାଂସଦ ଓ ବିଧାୟକ ମାନଙ୍କ ସହ ସରକାରୀ ଅଧିକାରୀଙ୍କ ସମ୍ପର୍କ ଓ ଆଚରଣକୁ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର।
ଭୁବନେଶ୍ୱର ୨୫/୧ – କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକରେ କୁହାଯାଇଛି ଯେ, ଜନ ପ୍ରତିନିଧିମାନେ ଦେଉଥିବା ଚିଠିର ଉତ୍ତରକୁ ଅଫିସର ମାନଙ୍କୁ ୧୫ ଦିନ ଭିତରେ ନିଶ୍ଚିତ ଦେବାକୁ ପଡିବ। ନଚେତା ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିରେ କୁହାଯାଇଛି ସାଂସଦଙ୍କ ଠାରୁ ଆସିଥିବା ଯେକୌଣସି ପତ୍ର ପାଇଁ ସରକାରୀ ଅଧିକାରୀଙ୍କୁ ୧୫ ଦିନ ମଧ୍ୟରେ ପ୍ରାପ୍ତି ସ୍ୱୀକାର ଏବଂ ପରବର୍ତ୍ତୀ ୧୫ ଦିନରେ ଚୂଡ଼ାନ୍ତ ଉତ୍ତର ଦେବାକୁ ହେବ। କୌଣସି କାରଣରୁ ବିଳମ୍ବ କ୍ଷେତ୍ରରେ ଅନ୍ତରୀଣ ଉତ୍ତର ପଠାଇ ସମ୍ଭାବ୍ୟ ତାରିଖ ସମ୍ପର୍କରେ ସୂଚନା ଦେବା ବାଧ୍ୟତାମୂଳକ। ଯଦି କୌଣସି ପତ୍ର ସିଧାସଳଖ ଜଣେ ମନ୍ତ୍ରୀଙ୍କୁ ଲେଖାଯାଇଥାଏ, ତେବେ ମନ୍ତ୍ରୀ ନିଜେ ତାହାର ଉତ୍ତର ଦେବେ ନଚେତ, ସଚିବ ପାହ୍ୟାର ଜଣେ ଅଧିକାରୀ ଏହାର ଉତ୍ତର ରଖିବେ।
ସେହିପରି ସାଂସଦ ବିଧାୟକ ତଥା ଜନପ୍ରତିନିଧି ମାନେ ବିଭାଗୀୟ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଲେ, ଅଧିକାରୀ ଜଣକ ନିଜ ଆସନରୁ ଉଠି ସ୍ୱାଗତ କରିବେ ଏବଂ ବିଦାୟ ଦେବା ପାଇଁ ବି ଆସନରୁ ଉଠିବେ। ଜନପ୍ରତିନିଧିଙ୍କ ଟେଲିଫୋନ କିମ୍ବା ମେସେଜକୁ ଅଣଦେଖା ନକରି ତୁରନ୍ତ ସେମାନଙ୍କ ସହ ଯୋଗାଯୋଗ କରିବେ। ଏଥିସହ ସରକାରୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ସାଂସଦଙ୍କୁ ନିଶ୍ଚିତ ଭାବେ ନିମନ୍ତ୍ରଣ କରାଯିବ। ୱାରେଣ୍ଟ ଅଫ୍ ପ୍ରେସିଡେନ୍ସ (Warrant of Precedence) ଅନୁଯାୟୀ ସାଂସଦଙ୍କ ସ୍ଥାନ ସରକାରୀ ସଚିବଙ୍କଠାରୁ ଉପରେ ରହିବ ।
କେବଳ ସେତିକି ନୁହେଁ ମାର୍ଗଦର୍ଶିକା ଉଲଙ୍ଘନ ପାଇଁ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ବି ରହିଛି। ଯାଞ୍ଚ ପରେ ଜନପ୍ରତିନିଧିଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରୁଥିବା ଅଫିସରଙ୍କୁ ଦଣ୍ଡିତ କରାଯିବ।
ପ୍ରାଶାସନିକ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଜନପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଅଫିସରଙ୍କ ପାଇଁ ଏଭଳି ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର।



