ବିଧାନସଭାରେ ଧାନ ଧମାକା । ଗୃହରେ ଧାନ ରଖି ବିଜେଡିର ଜୋରଦାର ପ୍ରତିବାଦ । ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ଧାନ ବସ୍ତା ମୁଣ୍ଡାଇ ଗୃହ ମଧ୍ୟଭାଗକୁ ଆସିବା ସହିତ ଧାନକୁ ଦେଖାଇ ଅଭିନବ ପ୍ରତିବାଦ କରିଥିଲେ ।
ଭୁବନେଶ୍ୱର ୧୮/୨ – ଆଜି (ବୁଧବାର) ବିଧାନସଭାରେ ଚାଷୀଙ୍କ ସମସ୍ୟା ତଥା ଧାନ କିଣାରେ ଅବ୍ୟବସ୍ଥା ନେଇ ବିଜେଡି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଥିବା ବେଳେ ବିଜେଡି ସହିତ ସ୍ବର ମିଳାଇଛି କଂଗ୍ରେସ । ବିଧାନସଭାରେ ଚାଷୀଙ୍କ ସମସ୍ୟା ଉଠାଇଛି ବିଜେଡି l ବିଧାନସଭା ଗୃହରେ ଧାନ ରଖି ଜୋରଦାର ପ୍ରତିବାଦ କରିଛି l ଚାଲି ପାରିଲାନି ପ୍ରଶ୍ନକାଳ କି ଶୂନ୍ୟକାଳ l ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ସଦସ୍ୟମାନେ ଧାନର ଅଭାବୀ ବିକ୍ରି ସଂକ୍ରାନ୍ତରେ ହାତରେ ଫ୍ଲେକ୍ସ ଧରି ଗୃହ ମଧ୍ୟକୁ ଆସି ପ୍ରତିବାଦ କରିଥିଲେ । ଏହି ସମୟରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଣ୍ଡରେ ଗାମୁଛା ବାନ୍ଧି ଗୋଟିଏ ଧାନ ବସ୍ତା ମୁଣ୍ଡାଇ ଗୃହ ମଧ୍ୟଭାଗକୁ ଆସିବା ସହିତ ଧାନକୁ ଦେଖାଇ ପ୍ରତିବାଦ କରିଥିଲେ । ଧାନକୁ ହାତରେ ଧରି ଉପରକୁ ଟେକି ପ୍ରଦର୍ଶନ କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ସରକାର ବିରୋଧୀ ନାରାବାଜି କରିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୦ଟା ୩୩ରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ହାତରେ ବ୍ୟାନର ଓ ପୋଷ୍ଟର ଧରି ଗୃହ ମଧ୍ୟଭାଗରେ ଆସି ହଟ୍ଟଗୋଳ କରିବାରୁ ବାଚସ୍ପତି ଗୃହକୁ ମୁଲତବୀ କରିଥିଲେ l ଉଭୟ ବିଜେଡି ଓ କଂଗ୍ରେସର ଯୁକ୍ତି ମଣ୍ଡିରୁ ଧାନ ନଉଠିବା ଯାଏଁ ଚାଷୀଙ୍କ ପାଇଁ ଆନ୍ଦୋଳନ ଜାରି ରହିବ। ତେଣେ ଏହାକୁ କାଉଣ୍ଟର କରିଛି ବିଜେପି । ବିରୋଧୀ ଗୃହ ଚଳାଇ ଦେଉନାହାନ୍ତି । ଆଲୋଚନା ମାଧ୍ୟମରେ ମଣ୍ଡି ପ୍ରସଙ୍ଗ ଉଠାଯାଇ ପାରିଥାନ୍ତା ବୋଲି କହିଛି ବିଜେପି ।
ସେପଟେ ଇନପୁଟ୍ ସହାୟତା ରାଶିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ପରେ ତେଜିଛି ରାଜନୀତି। ଦେଢ଼ ଶହ କ୍ଵିଣ୍ଟାଲ ବାଦ ଚାଷୀ ଏମଏସପି ଦରରେ ବାକି ଧାନ ବିକ୍ରି କରିବେ ବୋଲି ମନ୍ତ୍ରୀ କହିଥିବାବେଳେ, ବିରୋଧୀ ଏହାକୁ ପ୍ରସଙ୍ଗ କରିଛନ୍ତି। ପୂର୍ବରୁ ଘୋଷଣା କରିଥିବା ୮ଶହ ଟଙ୍କା ବଦଳରେ କାହିଁକି କ୍ଵିଣ୍ଟାଲ ପିଛା ୭୩୧ ଟଙ୍କା ଚାଷୀଙ୍କୁ ସରକାର ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିବା ସହ ୬୯ ଟଙ୍କାରୁ ଚାଷୀଙ୍କୁ ବଞ୍ଚିତ କରାଯାଉଥିବା ଆପତ୍ତି ଉଠାଇଛି। ସେଥିପାଇଁ ଚାଷୀ ଆନ୍ଦୋଳନ ତେଜୁଥିବା ଦଳ ଆକ୍ଷେପ କରିଛି। ତେବେ ଆଗାମୀ ଦିନରେ ବିଧାନସଭାରେ ଏହି ପ୍ରତିବାଦ କିଭଳି ରୂପ ନେଉଛି ତାହା ଦେଖିବାକୁ ବାକି ରହିଲା ।



