Explore

Search
Close this search box.

Search

April 17, 2026 2:18 pm

ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା : ରାଜ୍ୟରେ ବୃଦ୍ଧି ପାଉଛି ସ୍କୁଲ ଡ୍ରପ୍ ଆଉଟ୍ ହାର ।

ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା । ବୃଦ୍ଧି ପାଉଛି ସ୍କୁଲ୍ ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ହାର । ଚଳିତ ବିଧାନସଭାରେ ଡବଲ ଇଞ୍ଜିନ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ଏମିତି ବିକଳ ଚିତ୍ର ସାମ୍ନାକୁ ଆସିଛି ।

ଭୁବନେଶ୍ୱର ୨୦/୨ – ରାଜ୍ୟରେ ଲଗାତାର ତିନି ବର୍ଷ ଧରି ସ୍କୁଲ୍ ଡ୍ରପ୍ ଆଉଟ୍ (ବିଦ୍ୟାଳୟ ଛାଡିବା) ହାର ହ୍ରାସ ପାଉଥିବା ବେଳେ ଶିକ୍ଷା ବର୍ଷ ୨୦୨୪-୨୫ରେ ଏହି ହାରରେ ବୃଦ୍ଧି ଘଟିଛି । ଶିକ୍ଷା ବର୍ଷ ୨୦୨୪-୨୫ରେ ସ୍କୁଲ ଛାଡିବା ହାରରେ ୧୨ରୁ ୧୫ ପ୍ରତିଶତ ବୃଦ୍ଧି ପାଇଛି । ବିଧାନସଭାରେ ଏଭଳି ଉଦବେଗ ଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍ ମାରିଥିବା କଂଗ୍ରେସ କହିଥିବା ବେଳେ, ବିଜେଡି ମଧ୍ୟ ସରକାରଙ୍କ ପାରଦର୍ଶିତା ନେଇ ପ୍ରଶ୍ନ ଉଠାଇଛି ।

ରାଜ୍ୟ ସରକାର ସ୍କୁଲ୍ ଡ୍ରପ୍ ଆଉଟ୍ ରୋକିବାକୁ ମାଳମାଳ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ବିଧାନସଭା ବଜେଟ ଅଧିବେଶନରେ ଡ୍ରପ୍ ଆଉଟ୍ ନେଇ ସାମ୍ନାକୁ ଆସିଛି ଏହି ସାଙ୍ଘାତିକ ତଥ୍ୟ । ସ୍କୁଲ୍ ଡ୍ରପ ଆଉଟ୍ ପ୍ରତିଶତ ପୂର୍ବ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ୨୦୨୦-୨୧ରୁ ୨୦୨୩-୨୪ପର୍ଯ୍ୟନ୍ତ କ୍ରମାଗତ ଭାବେ ଡ୍ରପ୍ ଆଉଟ୍ ହାର ହ୍ରାସ ପାଇଥିବା ବେଳେ ୨୦୨୪-୨୫ରେ ବୃଦ୍ଧି ପାଇଛି ଡ୍ରପ୍ ଆଉଟ ହାର । ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

୨୦୨୪-୨୫ ଶିକ୍ଷା ବର୍ଷରେ ନବମ ଓ ଦଶମ ଶ୍ରେଣୀ ପିଲା ସବୁଠୁ ଅଧିକ ପାଠ ପଢା ଛାଡ଼ିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ହାରାହାରି ୧୫ ପ୍ରତିଶତ ପିଲା ପାଠ ଛାଡିଥିବା ଜଣାଯାଇଛି । ବିଦ୍ୟାଳୟ ପାଠ ପଢା ଛାଡିବାରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି । ନବମ ଓ ଦଶମ ଶ୍ରେଣୀରେ ୧୨.୫ ପ୍ରତିଶତ ଝିଅ ପାଠ ଛାଡି ଥିବା ବେଳେ ୧୭.୩ ପ୍ରତିଶତ ପୁଅ ପାଠ ଛାଡିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୩.୨ ପ୍ରତିଶତ ଡ୍ରପ୍ ଆଉଟ ହାର ଥିବା ବେଳେ ଝିଅ ଡ୍ରପ୍ ଆଉଟ୍ ହାର ୨.୬ ପ୍ରତିଶତ ଓ ପୁଅମାନଙ୍କ ୩.୭ ପ୍ରତିଶତ ରହିଛି ।

ସରକାରଙ୍କ ଦୂରଦୃଷ୍ଟି ଅଭାବ ତଥା ଅପାରଗତା କାରଣରୁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ପିଲା ମାନେ ଅଧାରୁ ପାଠ ଛାଡୁଛନ୍ତି । ସ୍କୁଲ ଡ୍ରପ ଆଇଟ୍ ରୋକିବାକୁ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଗୋଦାବରୀଶ ମିଶ୍ର ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି । ଅଜସ୍ର ଅର୍ଥ ବ୍ୟୟ ହେଉଛି। ତଥାପି ଡ୍ରପ୍ ଆଉଟ୍ ହାର କମିପାରୁନାହି । ଏହାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାନସଭାରେ ଗଭୀର ଉଦବେଗ ପ୍ରକାଶ କରିବା ସହ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer