ସୁଖି ଆସୁଛି ପ୍ରଧାନପାଟ ଜଳପ୍ରପାତ । ସଙ୍କୁଚିତ ହେବାରେ ଲାଗିଛି ଝରଣାର ଜଳସ୍ରୋତ । ମାଟିରେ ପୋତି ହେବାକୁ ବସିଲାଣି ଝରଣାର ଉତ୍ପତ୍ତି ସ୍ଥଳ । ଯେଉଁ ପ୍ରଧାନପାଟ ଜଳପ୍ରପାତ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ପାଇଁ ଏକ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଭାବେ ସାରା ରାଜ୍ୟରେ ସୁନାମ ଅର୍ଜନ କରିଛି, ତାହା କ୍ରମାଗତ ଭାବେ ପ୍ରାଶାସନିକ ଅବହେଳା କାରଣରୁ ଆଜି ନିଜ ଅସ୍ତିତ୍ୱ ହରାଇବାକୁ ବସିଛି । ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ …
ଦେବଗଡ ୨୭/୩ (ସରୋଜ ଶତପଥୀ) – ପ୍ରକୃତିର ଅନନ୍ୟ ଉପହାର ପ୍ରଧାନପାଟ ଜଳପ୍ରପାତ । ଦେବଗଡ ସହର ଠାରୁ ମାତ୍ର ଏକ କିଲୋମିଟର ଦୂର ଉତ୍ତର – ପଶ୍ଚିମ ଦିଗରେ ଅବସ୍ଥିତ ଏହି ମନୋରମ ଜଳପ୍ରପାତ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ପ୍ରଧାନପାଟ ଜଳପ୍ରପାତର ବହୁ ସୁନାମ ରହିଛି । ସୁଉଚ୍ଚ କୈଦନ୍ତା ପର୍ବତ ଶିଖରରୁ ସାତୋଟି କୁଣ୍ଡ ଦେଇ ପାଞ୍ଚ କିଲୋମିଟର ପାର୍ବତ୍ଯ ପଥ ଅତିକ୍ରମ କରି ୧୬୫ ଫୁଟ ପର୍ବତ ଶିଖରରୁ ଭୂପୃଷ୍ଟ ଉପରକୁ ବୋହି ଆସୁଥିବା ଏହି ପ୍ରାକୃତିକ ଜଳପ୍ରପାତ ର ମନୋରମ ଶୋଭା ସହଜେ ଦର୍ଶକ ଓ ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକର୍ଷିତ କରିଥାଏ । ଏହାର ପ୍ରାକୃତିକ ପରିବେଶ ଓ ନୈସର୍ଗିକ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ବର୍ଷତମାମ ଏଠାକୁ ଦୂରଦୂରାନ୍ତରୁ ଦର୍ଶକ ଓ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

ମାତ୍ର ଅତ୍ୟନ୍ତ ଉଦବେଗର ବିଷୟ ହେଲା, ଓଡ଼ିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପ୍ରାପ୍ତ କରିଥିବା ପ୍ରଧାନପାଟ ଜଳପ୍ରପାତ ଏବେ ଧୀରେ ଧୀରେ ସୁଖିବାକୁ ଲାଗିଛି । ଝରଣାର ଉତ୍ପତ୍ତି ସ୍ଥଳ ବର୍ତ୍ତମାନ ମାଟିରେ ପୋତି ହେବାକୁ ବସିଥିବା ବେଳେ, ଝରଣାର ଗତିପଥ ଅବରୋଧ ହେବାରେ ଲାଗିଛି । ପ୍ରକୃତିର ଏହି ଅମୂଲ୍ୟ ସଂପଦରେ ଜଳ ପ୍ରବାହ କମିବା ଘଟଣା ସ୍ଥାନୀୟ ଜନସାଧାରଣ ଓ ପରିବେଶବିତ୍ତ ମାନଙ୍କ ମଧ୍ୟରେ ଗଭୀର ଚିନ୍ତାର ବିଷୟ ହୋଇଛି ।
ପରିବେଶବିତ୍ତଙ୍କ ମତରେ କାରଣ ଓ ନିରାକରଣ :
ପ୍ରଧାନପାଟ ଜଳପ୍ରପାତ ସୁଖି ଆସୁଥିବା ପଛରେ କିଛି ମୁଖ୍ୟ କାରଣ ଦେଖିବାକୁ ମିଳୁଛି । ଅନିୟମିତ ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଯଦିଓ ଏହାର ଏକ ପ୍ରମୁଖ କାରଣ ହୋଇପାରେ, ତଥାପି କିଛି ମନ୍ୟୁଷ୍ୟକୃତ୍ତ କାରଣ ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି ପରିବେଶବିତ୍ତ ଓ ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି । ବିଶେଷଜ୍ଞଙ୍କ କହିବା କଥା ହେଲା , ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଅବାଧ ବୃକ୍ଷ କଟାଯିବା କାରଣରୁ ଜଙ୍ଗଲ ସମ୍ପଦ ଦ୍ରୁତଗତିରେ ଅବକ୍ଷୟ ହେଉଛି । ଏଥିଯୋଗୁଁ ବୃଷ୍ଟିପାତ ପରିମାଣ ହ୍ରାସ ପାଇବା ସଙ୍ଗେସଙ୍ଗେ ଭୂତଳ ଜଳସ୍ତର ମଧ୍ୟ କମିବାରେ ଲାଗିଛି । ଏହି କାରଣରୁ ପ୍ରଧାନପାଟ ଝରଣାର ଜଳସ୍ରୋତ ଦିନକୁଦିନ ହ୍ରାସ ପାଉଛି । ଏଥିସହ ପୁନରୁଦ୍ଧାର ଅଭାବରୁ ଝରଣାର ଉତ୍ପତ୍ତିସ୍ଥଳ ମାଟିରେ ପୋତି ହେବାକୁ ବସିଥିବା ବେଳେ, ଝରଣାର ଗତିପଥ ବିଭିନ୍ନ କାରଣରୁ ଅବରୋଧ ହେବାରେ ଲାଗିଛି । ତେଣୁ ପ୍ରଧାନପାଟ ଜଳପ୍ରପାତର ଜଳ ପ୍ରବାହ ଦିନକୁଦିନ ସଙ୍କୁଚିତ ହେଉଛି ।
“ପ୍ରଧାନପାଟ ସଂରକ୍ଷିତ ଜଙ୍ଗଲରେ ଅବାଧ ବୃକ୍ଷକଟା କୁ ରୋକାଯାଇ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ଝରଣାର ଉଭୟ ପାର୍ଶ୍ୱରେ ନୂତନ ବୃକ୍ଷ ରୋପଣ କରାଯିବା ଓ ପାହାଡ ଶୀର୍ଷରେ ଥିବା ପ୍ରାକୃତିକ ଜଳସ୍ରୋତକୁ ପୁନରୁଦ୍ଧାର କରାଯାଇ ବର୍ଷାଜଳ ସଂଗ୍ରହ ଓ ଜଳସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଗଲେ ପ୍ରଧାନପାଟ ଜଳପ୍ରପାତର ଜଳସ୍ରୋତ କୁ ପୁନଃଜୀବିତ କରାଯାଇ ପାରନ୍ତା” ବୋଲି ପରିବେଶ ବିତ୍ତ ଓ ବିଶେଷଜ୍ଞ ମାନେ ମତବ୍ୟକ୍ତ କରିଛନ୍ତି । ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଏଯାଏଁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଏଦିଗରେ ସେଭଳି କୌଣସି ପଦକ୍ଷେପ ନେଇନାହାନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ସରକାର ପ୍ରଧାନପାଟ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ବିଗତ କିଛିବର୍ଷ ମଧ୍ୟରେ କୋଟିକୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ସ୍ଥାନୀୟ ପ୍ରଶାସନ ଅଜସ୍ର ସରକାରୀ ଅନୁଦାନ ବ୍ୟୟ କରି ଉନ୍ନତି କରଣ ନାମରେ ଜଳପ୍ରପାତ ପାଦଦେଶରେ କିଛି ପିଣ୍ଡି ନିର୍ମାଣ କରିବା ସହ କିଛି ଟାଇଲ୍ ବିଛାଇ ଓ ଗଛରେ ରଙ୍ଗ ବୋଳି ନିଜ ଦାଇତ୍ୱ ସାରି ଦେଇଛନ୍ତି । ହେଲେ ଯେଉଁ ଝରଣାର ଜଳସ୍ରୋତ ଆଜିପର୍ଯ୍ୟନ୍ତ ଏହି ଜଳପ୍ରପାତର ଅସ୍ତିତ୍ୱ କୁ ବଞ୍ଚାଇ ରଖିଛି, ତାହାର ପୁନରୁଦ୍ଧାର ଦିଗରେ ପ୍ରଶାସନର ଦୃଷ୍ଟି ଥିବାଭଳି ମନେ ହେଉନାହିଁ । ଯାହାକି ଏହି ଜଳପ୍ରପାତର ଆଗାମୀ ଭବିଷ୍ୟତ ଉପରେ ମସ୍ତବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପ୍ରଧାନପାଟ ଜଳପ୍ରପାତ କେବଳ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ନୁହେଁ, ଏହା ଓଡ଼ିଶାର ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ ଓ ଗୌରବର ଚିହ୍ନ । ବର୍ତ୍ତମାନ ଠାରୁ ଏହାକୁ ବଞ୍ଚାଇ ରଖିବା ପାଇଁ ସରକାର ଓ ସ୍ଥାନୀୟ ପ୍ରଶାସନ ବିହିତ ପଦକ୍ଷେପ ନନେଲେ ଆଗାମୀ କିଛିବର୍ଷ ମଧ୍ୟରେ ଏହି ଜଳପ୍ରପାତ ସମ୍ପୂର୍ଣ୍ଣ ସୁଖିଯାଇ ନିଜର ଅସ୍ତିତ୍ୱ ହରାଇବ, ସେଥିରେ ସନ୍ଦେହ ନାହିଁ ।



