ଚିନ୍ତାରେ ତରଭୁଜ ଚାଷୀ । ଚଳିତ ବର୍ଷ ଜିଲ୍ଲାରେ ତରଭୁଜ ଭଲ ଅମଳ ହୋଇଥିବା ବେଳେ, ବେପାରୀଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବିକ୍ରିବଟାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଚାଷୀ ।
ଦେବଗଡ ୭/୪ – ଉଦ୍ୟାନ କୃଷି ପାଇଁ ଦେବଗଡ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ରହିଛି । ବିଶେଷକରି ଦେବଗଡ ଜିଲ୍ଲାର ଉର୍ବର ମୃତ୍ତିକା ଓ ଜଳବାୟୁ ତରଭୁଜ ଚାଷ ପାଇଁ ବେସ୍ ଉପଯୋଗୀ । ସେହିଦୃଷ୍ଟିରୁ ଜିଲ୍ଲାର ଅଧିକାଂଶ ଚାଷୀ ଆଜକୁ ଦୀର୍ଘବର୍ଷ ହେଲା ତରଭୁଜ ଚାଷ କରିଆସୁଛନ୍ତି । ଏହି ଜିଲ୍ଲାର ତରଭୁଜ ସୁଦୂର କଲିକତା, ଟାଟା, ଜାମସେଦପୁର ଆଦି ରାଜ୍ୟ ବାହାର ଅଞ୍ଚଳକୁ ରପ୍ତାନି ହୋଇଥାଏ । ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ରୁ ବେପାରୀ ମାନେ ଆସି ଟ୍ରିପ ଟ୍ରିପ ତରଭୁଜ କିଣି ନେଇଥାନ୍ତି । ଫଳରେ ଚାଷୀମାନେ ପ୍ରତିବର୍ଷ ବେସ୍ ଦୁଇପଇସା ଲାଭ କମାଇଥାନ୍ତି । ମାତ୍ର କିଛିବର୍ଷ ହେଲା ଜିଲ୍ଲାରେ ଉତ୍ପାଦିତ ହେଉଥିବା ତରଭୁଜ କିଣିବା ପାଇଁ ବାହାର ରାଜ୍ୟରୁ ଆସୁଥିବା ବେପାରୀଙ୍କ ସଂଖ୍ୟା ଆଶାତୀତ ଭାବେ କମିବାରେ ଲାଗିଛି । କାଁ ଭାଁ କିଛି ବେପାରୀଙ୍କୁ ବାଦଦେଲେ ବଡ଼ବଡ଼ ବେପାରୀ ମାନେ ଆଉ ଆସୁନଥିବା ଦେଖାଯାଇଛି । ପଡ଼ୋଶୀ ରାଜ୍ୟର ବିଭିନ୍ନ ଅଞ୍ଚଳରେ କିଛିବର୍ଷ ହେଲା ତରଭୁଜ ଚାଷ ବୃଦ୍ଧି ପାଉଥିବାରୁ ଏଠାକୁ ଆସୁଥିବା ବେପାରୀଙ୍କ ସଂଖ୍ୟା କମିବାରେ ଲାଗିଛି । ତେଣୁ ତରଭୁଜ ବିକ୍ରୟ କ୍ଷେତ୍ରରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତରଭୁଜ ଚାଷୀ । ଅଧିକ ମୂଲ୍ୟ ଦେଇ ଉନ୍ନତ ମାନର ବିହନ, ସାର ଓ କୀଟନାଶକ କିଣି ଫସଲ ଅମଳ କରିଥିବା ଚାଷୀମାନଙ୍କ ପାଇଁ ସେମାନଙ୍କ ମୂଳଧନ ଫେରି ପାଇବା ମୁସ୍କିଲ ହୋଇପଡୁଛି । ଚାଷୀ ଅମଳ କରିଥିବା ତରଭୁଜ କିଲୋପ୍ରତି ୫ ରୁ ୮ ଟଙ୍କା ଦରରେ ଖୋଲା ବଜାରରେ ବାଧ୍ୟ ହୋଇ ବିକ୍ରୀକରି ଆସୁଛନ୍ତି ।
ଉଦ୍ୟାନକୃଷି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଜିଲ୍ଲାର ବାରକୋଟ, ରିଆମାଳ ଓ ତିଳେଇବଣି ଆଦି ୩ଟି ବ୍ଲକ୍ ରେ ମୋଟ ୧୦୦୦ ହେକ୍ଟର ଜମିରେ ତରଭୁଜ ଚାଷ ହୋଇଥିବା ଜଣାଯାଇଛି। ପାଗ ଅନୁକୂଳ ଥିବା ଦେଖି ଚାଷୀମାନେ ଅଗ୍ରୀମ ଚାଷ ଆରମ୍ଭ କରି ମାର୍ଚ୍ଚ ମାସ ଠାରୁ ତରଭୁଜ ଅମଳ କରି ଆସୁଛନ୍ତି । ତରଭୁଜ ବିକ୍ରୟ ପାଇଁ ଜିଲ୍ଲାରେ କୌଣସି ସୁବିଧା ଉପଲବ୍ଧ ନଥିବା ବେଳେ ବାହାର ବେପାରୀଙ୍କୁ ଚାଷୀମାନେ ଉଚିତ୍ ମୂଲ୍ୟରେ ବିକ୍ରୀକରି ଦୁଇପଇସା ରୋଜଗାର କରିଥାନ୍ତି । ହେଲେ ଚଳିତ ବର୍ଷ ବାହାର ବେପାରୀ ଙ୍କ ସଂଖ୍ୟା ବହୁମାତ୍ରାରେ କମିଯାଉଥିବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସେପଟେ ଉତ୍ପାଦିତ ତରଭୁଜ ବେଶୀ ସମୟ ସୁରକ୍ଷିତ ରଖିବା ପାଇଁ ଜିଲ୍ଲାରେ କୌଣସି ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଫଳରେ ଚାଷୀ ଲାଭ ନହେଲା ନାହିଁ, ମୁଳ ପୁଞ୍ଜି ଫେରି ପାଇବା ଆଶାରେ ବାଧ୍ୟ ହୋଇ ଖୋଲା ବଜାରରେ ଅଳ୍ପ ଦାମରେ ବିକ୍ରୀକରି ଆସୁଥିବା ଦେଖାଯାଇଛି । ଜିଲ୍ଲାରେ ତରଭୁଜ ବିକ୍ରି ପାଇଁ ଉପଯୁକ୍ତ ବ୍ୟବସ୍ଥା ଓ ଅନ୍ତତଃ ତିନୋଟି ବ୍ଲକରେ ତିନୋଟି ଶୀତଳଭଣ୍ଡାର କରାନଗଲେ ବହୁସଂଖ୍ୟାରେ ଚାଷୀ ଆଗାମୀ ବର୍ଷରେ ତରଭୁଜ ଚାଷ ନକରିବାକୁ ମନସ୍ଥ କରିଥିବା ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।
ଉନ୍ନତ ମାନର ତରଭୁଜ ଅମଳ ପାଇଁ ସାରା ରାଜ୍ୟ ଓ ରାଜ୍ୟ ବାହାରେ ବେସ୍ ସୁଖ୍ୟାତି ଅର୍ଜନ କରିଥିବା ଦେବଗଡ ଜିଲ୍ଲାରେ ବିକ୍ରୟ ଓ ସଂରକ୍ଷଣ ବ୍ୟବସ୍ଥାରେ ଏଭଳି ସମସ୍ୟା ଜାରିରହିଲେ ଆଗାମୀ ଦିନରେ ଜିଲ୍ଲାରୁ ତରଭୁଜ ଚାଷ ସଂପୂର୍ଣ୍ଣ ଲୋପ ପାଇଯିବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି ।



