OAS ଓ ORS ଙ୍କ ପାଇଁ ଲାଗୁହେଲା ନୂଆଁ Transfer Policy : ଦୁର୍ଗମ ଅଞ୍ଚଳରେ ସେବା ବାଧ୍ୟତାମୂଳକ, ଜଣେ ଅଫିସର ଗୋଟିଏ ସ୍ଥାନରେ ସର୍ବନିମ୍ନ ଦୁଇ ବର୍ଷ ଓ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ । ଟ୍ରାନ୍ସଫର୍ ପାଇଁ ବାହ୍ୟ ଚାପ ପକାଇଲେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ।
ଭୁବନେଶ୍ୱର ୧୬/୪ – ରାଜସ୍ୱ ବିଭାଗ ଅଧୀନରେ କାର୍ଯ୍ୟରତ ଓଡ଼ିଶା ପ୍ରଶାସନିକ ସେବା(OAS) ଓ ଓଡ଼ିଶା ରାଜସ୍ୱ ସେବା(ORS) ଅଫିସର ମାନଙ୍କ ପାଇଁ ରାଜ୍ୟ ସରକାର ଆଜି ନୂଆଁ ବଦଳି ନୀତି ଘୋଷଣା କରିଛନ୍ତି। ପ୍ରଶାସନିକ ଅଫିସରଙ୍କ ବଦଳି ପ୍ରକ୍ରିୟାରେ ରାଜନୈତିକ ହସ୍ତକ୍ଷେପ ଓ ବାହ୍ୟ ପ୍ରଭାବକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ଦୁର୍ଗମ ଅଞ୍ଚଳରେ ନିଯୁକ୍ତିକୁ ବାଧ୍ୟତାମୂଳକ କରାଯିବା ସହ ଅଫିସର ମାନଙ୍କ ପାଇଁ ଅଟୋମେଟିକ ରିଲିଭ୍ ବ୍ୟବସ୍ଥା ପାଇଁ ଏହି ନୂଆ ବଦଳି ନୀତିରେ ପ୍ରାବଧାନ ରହିଛି। ଯଦି କୌଣସି ଅଫିସର ଏହାକୁ ଉଲ୍ଲଘଂନ କରନ୍ତି, ତାକୁ ଗମ୍ଭୀରତାର ସହ ନିଆଯାଇ ତାଙ୍କ ବିରୁଦ୍ଧ ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଉଭୟ OAS(Junior Branch) ଓ ORS ଅଫିସରଙ୍କ ନିମନ୍ତେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ଭିନ୍ନ ଭିନ୍ନ ରିଜୋଲ୍ୟୁସନ୍ ଜାରି ହୋଇଛି।
ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ କୁମାର ପାଢ଼ୀଙ୍କ ଦସ୍ତଖତରେ ଜାରି ହୋଇଥିବା ଏହି ବଦଳି ନୀତିରେ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ନୂଆ ନିୟମ ଅନୁଯାୟୀ, କୌଣସି ବି OAS କିମ୍ବା ORS ଅଫିସର ନିଜର ବଦଳି କିମ୍ବା ପୋଷ୍ଟିଂ ପାଇଁ କୌଣସି ପ୍ରକାର “ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ’ ବାହ୍ୟ ପ୍ରଭାବ ପକାଇବାକୁ ଚେଷ୍ଟା କରିବେ ନାହିଁ। ଓଡ଼ିଶା ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ୨୦୨୪ ନଭେମ୍ବର ୧୧ ତାରିଖର ସର୍କୁଲାର ଅନୁଯାୟୀ ଏହି ନିୟମ ଲାଗୁ କରାଯାଇଛି। ବିଶେଷକରି ବାହ୍ୟ ପ୍ରଭାବ ପକାଇ ବଦଳି ବନ୍ଦ କରିବା କିମ୍ବା ନିଜ ପସନ୍ଦର ପୋଷ୍ଟିଂ ହାସଲ କରିବା ଚେଷ୍ଟାକୁ ସରକାରୀ ଆଚରଣ ବିଧିର(କଣ୍ଡକ୍ଟ ରୁଲସ) ଉଲ୍ଲଂଘନ ଭାବେ ବିବେଚନା କରାଯିବ।
ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ‘ଚେକ୍ ଏଣ୍ଡ ବାଲାନ୍ସ’ ବ୍ୟବସ୍ଥା କରିଛନ୍ତି। ଅଫିସର ମାନଙ୍କର ବ୍ୟକ୍ତିଗତ ଅନୁରୋଧ ବା ଆବେଦନ ଗୁଡ଼ିକୁ ସିଧାସଳଖ ବିଚାର ନକରି, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଗଠିତ ଏକ ସ୍ୱତନ୍ତ୍ର କମିଟି ଦ୍ୱାରା ଯାଞ୍ଚ କରାଯିବ। ଏହି କମିଟି ପ୍ରତିଟି ଆବେଦନକୁ ପଲିସିର ଗାଇଡଲାଇନ ଅନୁଯାୟୀ ଯାଞ୍ଚ କରି ଆବଶ୍ୟକ ସୁପାରିଶ କରିବେ। ଆଉ ଏହି ସୁପାରିଶ ଆଧାରରେ ଉପଯୁକ୍ତ କର୍ତ୍ତୃପକ୍ଷ ହିଁ ବଦଳି ନିଷ୍ପତ୍ତିି ନେବେ।
ତେବେ ଭିନ୍ନକ୍ଷମ ଅଫିସର (୪୦% ବା ଅଧିକ) ଓ ସ୍ପାଉସ୍ ଗ୍ରାଉଣ୍ଡ (ପତିପତ୍ନୀ ଉଭୟ ସରକାରୀ ଚାକିରିଆ) ହୋଇଥିଲେ ସେମାନଙ୍କର ଅନୁରୋଧ ବା ଆବେଦନ ଗୁଡ଼ିକୁ ପ୍ରଶାସନିକ ସୁବିଧା ଓ ନିୟମ ଅନୁଯାୟୀ ବିଚାର କରାଯିବ।
ସରକାରଙ୍କ ଏହି ନୂଆ ନିୟମରେ ଜଣେ ଅଫିସର ଗୋଟିଏ ସ୍ଥାନରେ ସର୍ବନିମ୍ନ ଦୁଇ ବର୍ଷ ଓ ସର୍ବାଧିକ ତିନି ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ, ଯଦିଓ ପ୍ରଶାସନିକ ଆବଶ୍ୟକତା କିମ୍ବା ଜନସ୍ୱାର୍ଥ ଦୃଷ୍ଟିରୁ ଏଥିରେ ପରିବର୍ତ୍ତନ କରାଯାଇ ପାରିବ। କିନ୍ତୁ କୌଣସି ବି ଅଫିସରଙ୍କୁ ଗୋଟିଏ ଜିଲ୍ଲାରେ କ୍ରମାଗତ ଛଅ ବର୍ଷରୁ ଅଧିକ ସମୟ ରହିବାକୁ ଅନୁମତି ଦିଆଯିବ ନାହିଁ। ସମଗ୍ର ଚାକିରି କାଳ ମଧ୍ୟରେ ଜଣେ ଅଫିସର ଗୋଟିଏ ଜିଲ୍ଲାରେ ସର୍ବାଧିକ ଦଶ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିପାରିବେ ନାହିଁ। ସରକାର ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍ ୧୫ତାରିଖ ମଧ୍ୟରେ ହିଁ ସାଧାରଣ ବଦଳି ପ୍ରକ୍ରିୟା ଶେଷ କରିବେ ବୋଲି ସ୍ପଷ୍ଟ କରିଛନ୍ତି।
ପ୍ରତ୍ୟେକ ଅଫିସର ସରକାରଙ୍କ ବଦଳି ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ। ଯଦି କୌଣସି ଅଫିସର ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜ ଦାୟିତ୍ୱରୁ ଅବ୍ୟାହତି ନିଅନ୍ତି ନାହିଁ କିମ୍ବା ନୂତନ ସ୍ଥାନରେ ଯୋଗ ଦେବାରେ ଅବହେଳା କରନ୍ତି, ତେବେ ତାହାକୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ପରିସରଭୁକ୍ତ କରାଯିବ ବୋଲି ସରକାର ଚେତାଇ ଦେଇଛନ୍ତି।
ନିଜ ଗୃହ ଜିଲ୍ଲାରେ ପୋଷ୍ଟିଂ ପାଇଁ ଥିବା ବ୍ୟବସ୍ଥାକୁ ସରକାର ସମ୍ପୂର୍ଣ୍ଣ ବାରଣ କରିଛନ୍ତି। କେବଳ ଅବସର ପୂର୍ବରୁ ଶେଷ ଦୁଇ ବର୍ଷ ପାଇଁ ଏହି ନିୟମରେ କୋହଳ କରାଯାଇଛି। ମାତ୍ର ସେହି ସମୟରେ ଅଫିସର ମାନେ ତହସିଲଦାର ,ବିଡିଓ , ଅତିରିକ୍ତ ତହସିଲଦାର କିମ୍ବା ଜୋନ୍ ଅଫିସର ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରସ୍ତରୀୟ ପଦବୀରେ ରହିପାରିବେ ନାହିଁ ବୋଲି ଏହି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି ।



