Explore

Search
Close this search box.

Search

April 23, 2026 4:19 pm

ଶାରଦୀୟ ଦୁର୍ଗାପୂଜା : ଆଜି ମା’ଙ୍କ ପୂଜା ମଣ୍ଡପରେ ପାଳନ ହେଉଛି ଭାଇ ଜିଉଁନ୍ତିଆ ଓଷା ।

ଆଜି ମହାଷ୍ଟମୀରେ ସହରର ବିଭିନ୍ନ ପୂଜା ମଣ୍ଡପରେ ପାଳନ ହେଉଛି ଭାଇ ଜିଉଁନ୍ତିଆ ଓଷା । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଛନ୍ତି ।

ଦେବଗଡ ୨୯/୯(ସରୋଜ ଶତପଥୀ) –  ଆସିଛି ପାର୍ବଣ । ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର । ପୀଠରେ ମା’ଙ୍କର ଆଜି ନବମୀ ପୂଜା ହେଉଥିବା ବେଳେ ମଣ୍ଡପରେ ମହାଷ୍ଟମୀ ପୂଜା ଆରମ୍ଭ ହୋଇଯାଇଛି । ଗାଁ ଠୁ ସହର ସବୁଠି ପାର୍ବଣର ମାହୋଲ ।
ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି ସୁଉଚ୍ଚ ତୋରଣ ଓ ରଙ୍ଗ ବେରଙ୍ଗର ଆଲୋକ ମାଲା । ମନ ମୋହୁଛି ସାଜସଜ୍ଜା । ପୂଜା ମଣ୍ଡପ ଗୁଡ଼ିକରେ ଲାଗିଛି ଭକ୍ତଙ୍କ ଗହଳି । ଆଜି ମଣ୍ଡପରେ ମା’ଙ୍କ ମହାଷ୍ଟମୀ ପୂଜା ଚାଲିଥିବା ବେଳେ, ପୀଠରେ ଚାଲିଛି ମା’ଙ୍କ ମହା ନବମୀ ପୂଜା । ଘଣ୍ଟ ବାଦ୍ୟ, ଚଣ୍ଡୀପାଠ ଓ ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ । ଭକ୍ତି ଭାବରେ ଦର୍ଶନ କରୁଛନ୍ତି ଭକ୍ତ । ନବରାତ୍ରଠାରୁ ମା’ଙ୍କ ବିଭିନ୍ନ ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ । ଦେବଗଡ ସହର ସନ୍ନିକଟ ଚିକିଣି ଘାଟି ବନଦୂର୍ଗା ମନ୍ଦିର ଓ ପ୍ରଧାନପାଟ ସ୍ଥିତ ମା ଦୁର୍ଗାଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା ।ଏଥିସହ ଆଜି ମହାଷ୍ଟମୀରେ ସହରର ବିଭିନ୍ନ ପୂଜା ମଣ୍ଡପରେ ପାଳନ ହେଉଛି ଭାଇ ଜିଉଁନ୍ତିଆ ଓଷା । ଭଉଣୀମାନେ ନିଜ ଭାଇଙ୍କ ଶୁଭ ମନାସି ଏହି ଓଷା ପାଳନ କରୁଛନ୍ତି । ଭାଇ ଜିଉଁନ୍ତିଆ ଓଷା ପାଳନ ଦିନ ଭଉଣୀମାନେ ପ୍ରାତଃ ସ୍ନାନ କରି ନଈ ତୁଠ ଏବଂ ପୋଖରୀ ହୁଡାରେ ଗୋଲାକାର ବାଲୁକା ବେଦି ସ୍ଥାପନା କରନ୍ତି । ସାରା ଦିନ ଉପବାସ ରହନ୍ତି । ସନ୍ଧ୍ୟା ବେଳେ ଦୁର୍ଗା ମା’ଙ୍କ ନିକଟରେ କଳସ ବସାଇ ଦୀପଜାଳି ୧୦୮ ଦୁର୍ବାକ୍ଷତ ସହ ବ୍ରତ ବାନ୍ଧି ଚଢ଼ାଇଥାନ୍ତି । ମା’ଙ୍କ ପାଖରେ ଜାଗର ଜାଳି ୧୦୮ ଦୁବ ଜିଉଁନ୍ତିଆ ସହିତ କଖାରୁ ଫୁଲ, ମନ୍ଦାର ଫୁଲ, ଅଁଳା ଡାଳ, ବେଲପତ୍ର, ନଡ଼ିଆ, କଦଳୀ, ଆତ ଫଳ ପ୍ରଭୃତି ସମର୍ପି ଦିଅନ୍ତି । ଭାଇ ଜିଉଁନ୍ତିଆ ବ୍ରତକଥା ବହିକୁ ମନଧ୍ୟାନରେ ପାଠ କରନ୍ତି । ବିଶ୍ୱାସ ରହିଛି ଯେ, ଏହି ପବିତ୍ର ଦିନରେ ମା’ ଦୁର୍ଗାଙ୍କର ପ୍ରିୟ କଖାରୁ ଫୁଲ ନିଷ୍ଠାପର ସହକାରେ ଅର୍ପଣ କଲେ ମନସ୍କାମନା ପୂରଣ ହୋଇଥାଏ । ଭକ୍ତିଚିତ୍ତ ମନରେ ମା’ ଦୁର୍ଗାଙ୍କୁ ଆରାଧନା କରାଯାଏ । ଓଷାର ପରଦିନ ସକାଳେ ଭାଇମାନଙ୍କୁ ଆସନରେ ବସାଇ ଦୀପ ଜାଳି, ବନ୍ଦାଣ କରି ପ୍ରସାଦ ବାଢି ଦିଅନ୍ତି ସ୍ନେହ-ଶ୍ରଦ୍ଧାରେ ଭଉଣୀ ମାନେ । ମା’ ଦୁର୍ଗାଙ୍କ ନିକଟରେ ଲାଗି ହୋଇଥିବା ଦୁର୍ବାକ୍ଷତ ଆଣି ନିଜ ଭାଇକୁ ସାତଥର ଝାଡି ଦିଅନ୍ତି ଓ ଭାଇକୁ ଯଥାସାଧ୍ୟ ବସ୍ତ୍ର ଏବଂ ଉପହାର ଦେବା ସହ ମା ଙ୍କ ପ୍ରସାଦ ଓ ମିଷ୍ଟାନ୍ନ ଖୁଆଇ ବ୍ରତ ସମାପନ କରିଥାନ୍ତି ।
ବିଶେଷ କରି ପଶ୍ଚିମ ଓଡ଼ିଶାରେ ଭାଇ ଜିଉଁନ୍ତିଆ ଓଷା ବିଧିବିଧାନ ସହ ମହା ଆଡମ୍ବରରେ ପାଳନ କରାଯାଇଥାଏ ।

Leave a Comment

ବିଜ୍ଞାପନ
ଲାଇଭ କ୍ରିକେଟ୍ ସ୍କୋର |
AI Tools Indexer