TRAIର ପରାମର୍ଶରେ ଜିଓ ଆଣିଲା ୪ଟି ଶସ୍ତା ରିଚାର୍ଜ ପ୍ଲାନ୍, କମ୍ ଖର୍ଚ୍ଚରେ ମିଳିବ ପୂରା ମାସର ବୈଧତା।
ନୂଆଦିଲ୍ଲୀ ୩/୧୧ : ମୋବାଇଲ୍ ରିଚାର୍ଜ ପାଇଁ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି।କମ୍ ଟଙ୍କାରେ ମାସେ ପର୍ଯ୍ୟନ୍ତ ରିଚାର୍ଜର ସୁବିଧା ପାଇବେ ଗ୍ରାହକ। ଏଭଳି ୪ ଟି ଶସ୍ତା ପ୍ଲାନ୍ ଆଣିଛି ରିଲାଏନ୍ସ ଜିଓ।
ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ ପରେ ଏବେ ଜିଓ ମଧ୍ୟ ଟେଲିକମ୍ ନିୟାମକ ସଂସ୍ଥା ଟ୍ରାଇର ପରାମର୍ଶ ଅନୁଯାୟୀ ୪ଟି ଶସ୍ତା ରିଚାର୍ଜ ପ୍ଲାନ୍ ଆଣିଛି।ଏହି ପ୍ଲାନ୍ଗୁଡ଼ିକର ମୂଲ୍ୟ ୧୪୭, ୧୭୭, ୧୯୬ ଏବଂ ୧୯୭ ଟଙ୍କା ରହିଛି। ଏଥିରେ ଅନଲିମିଟେଡ୍ ଭଏସ୍ କଲିଂ ସହ ମାଗଣା ଏସ୍ଏମ୍ଏସ୍ର ସୁବିଧା ମିଳିବ।
ଟ୍ରାଇ ଗତ ମାସରେ ଟେଲିକମ୍ ଗ୍ରାହକ ସୁରକ୍ଷା ନିୟମରେ ୧୩ତମ ସଂଶୋଧନ ସମ୍ପର୍କରେ ପରାମର୍ଶ ଦେଇଥିଲା। ଏହା ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକ ଫିଚର୍ ଫୋନ୍ ୟୁଜରଙ୍କ ପାଇଁ ଶସ୍ତା କେବଳ ଭଏସ୍ ସେବାଯୁକ୍ତ ରିଚାର୍ଜ ପ୍ଲାନ୍ ଆଣିବା ଉପରେ ଗୁରୁତ୍ୱ ଦେଇଥିଲା। ଯାହାଦ୍ୱାରା ଗ୍ରାହକଙ୍କୁ ଅନାବଶ୍ୟକ ଡାଟା ପ୍ୟାକ୍ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି।
୧୪୭ ଟଙ୍କିଆ ପ୍ଲାନ୍: ଜିଓର ସବୁଠାରୁ ଶସ୍ତା ଏହି ପ୍ଲାନ୍ର ମୂଲ୍ୟ ମାତ୍ର ୧୪୭ ଟଙ୍କା। ଏଥିରେ ଗ୍ରାହକଙ୍କୁ ୨୨ ଦିନର ବୈଧତା ମିଳିବ। ଏହି ସମୟ ମଧ୍ୟରେ ସାରା ଦେଶରେ ଯେକୌଣସି ନେଟୱର୍କକୁ ଅସୀମିତ ଭଏସ୍ କଲିଂ କରିବା ସହ ମାଗଣା ଜାତୀୟ ରୋମିଂର ସୁବିଧା ମିଳିବ। ଏହା ସହିତ ୩୦୦ଟି ମାଗଣା ଏସ୍ଏମ୍ଏସ୍ ମଧ୍ୟ ମିଳିବ।
୧୭୭ ଟଙ୍କିଆ ପ୍ଲାନ୍: ୧୭୭ ଟଙ୍କାର ଏହି ପ୍ଲାନ୍ରେ ଗ୍ରାହକଙ୍କୁ ୨୮ ଦିନର ବୈଧତା ମିଳିବ। ୧୪୭ ଟଙ୍କିଆ ପ୍ଲାନ୍ ଭଳି ଏଥିରେ ମଧ୍ୟ ସାରା ଦେଶରେ ଅସୀମିତ ଭଏସ୍ କଲିଂ ଏବଂ ମାଗଣା ଜାତୀୟ ରୋମିଂର ସୁବିଧା ରହିଛି। ଏହା ସହ ମିଳିବ ୩୦୦ଟି ମାଗଣା ଏସ୍ଏମ୍ଏସ୍। ଯେଉଁମାନେ କମ୍ ଖର୍ଚ୍ଚରେ ପ୍ରାୟ ମାସେ ପର୍ଯ୍ୟନ୍ତ ମୋବାଇଲ୍ ସେବା ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଏକ ବିକଳ୍ପ ହୋଇପାରେ।
୧୯୬ ଟଙ୍କିଆ ପ୍ଲାନ୍: ୧୯୬ ଟଙ୍କାର ଏହି ରିଚାର୍ଜ ପ୍ଲାନ୍ରେ ମିଳିବ ୩୦ ଦିନର ବୈଧତା। ଅର୍ଥାତ୍ ଏହି ପ୍ଲାନ୍ ରିଚାର୍ଜ କଲେ ପୂରା ୩୦ ଦିନ ପର୍ଯ୍ୟନ୍ତ ଗ୍ରାହକ ଏହାର ସୁବିଧା ପାଇପାରିବେ। ଏଥିରେ ଅସୀମିତ ଭଏସ୍ କଲିଂ, ମାଗଣା ଜାତୀୟ ରୋମିଂ ସହ ୩୦୦ଟି ମାଗଣା ଏସ୍ଏମ୍ଏସ୍ ଦିଆଯାଉଛି।
୧୯୭ ଟଙ୍କିଆ ପ୍ଲାନ୍: ଜିଓର ୧୯୭ ଟଙ୍କିଆ ପ୍ଲାନ୍ରେ ରହିଛି ଏକ ସ୍ୱତନ୍ତ୍ର ସୁବିଧା। ଏଥିରେ ନିର୍ଦ୍ଦିଷ୍ଟ ୨୮ କିମ୍ବା ୩୦ ଦିନର ବୈଧତା ବଦଳରେ କ୍ୟାଲେଣ୍ଡର ମାସ ଅନୁଯାୟୀ ବୈଧତା ମିଳିବ। ଅର୍ଥାତ୍ ଯେଉଁ ତାରିଖରେ ଆପଣ ରିଚାର୍ଜ କରିବେ, ପରବର୍ତ୍ତୀ ମାସର ସେହି ତାରିଖ ପର୍ଯ୍ୟନ୍ତ ଏହାର ବୈଧତା ରହିବ। ଏହି ପ୍ଲାନ୍ରେ ମଧ୍ୟ ଅନଲିମିଟେଡ୍ ଭଏସ୍ କଲିଂ, ମାଗଣା ଜାତୀୟ ରୋମିଂ ଏବଂ ୩୦୦ଟି ମାଗଣା ଏସ୍ଏମ୍ଏସ୍ର ସୁବିଧା ମିଳିବ।









