ଆଲୋକର ପର୍ବ ଦୀପାବଳି। ଘରେ ଘରେ ଦୀପ ଜଳୁଛି, ରଙ୍ଗବେରଙ୍ଗ ଆଲୋକରେ ଝଲସୁଛି ପରିବେଶ। ଏହା ସହିତ ଆରମ୍ଭ ହୋଇଯାଏ ବାଣ ଫୁଟାଇବାର ଆନନ୍ଦ। କିନ୍ତୁ ଏହି ଆନନ୍ଦ ଭିତରେ ଲୁଚି ରହିଛି ଏକ ବଡ଼ ସ୍ୱାସ୍ଥ୍ୟଗତ ବିପଦ। ବାଣ ଫୁଟିବା ପରେ ବାହାରୁଥିବା ଧୂଆଁ ଓ ବିଷାକ୍ତ କଣିକା ମଣିଷର ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ।
ଦେବଗଡ ୮/୧୧ (ସରୋଜ ଶତପଥୀ) : ଦୀପାବଳି ହେଉଛି ଆଲୋକ, ଖୁସି ଓ ସମୃଦ୍ଧିର ପର୍ବ । ହିନ୍ଦୁ ଧର୍ମର ଏହି ପ୍ରମୁଖ ପର୍ବରେ ଅନ୍ଧାର ଉପରେ ଆଲୋକର ଏବଂ ଅଧର୍ମ ଉପରେ ଧର୍ମର ବିଜୟକୁ ପାଳନ କରାଯାଏ । ସମୟ ବଦଳିବା ସହ ଏହି ଆଲୋକର ପର୍ବ ସହିତ ବାଣ ଫୁଟାଇବା ଏକ ପ୍ରମୁଖ ପରମ୍ପରା ଓ ଆକର୍ଷଣ ପାଲଟିଛି ।
ବାଣ ଫୁଟାଇବା ପରମ୍ପରା ପଛରେ ଉଭୟ ପୌରାଣିକ ଏବଂ ସାମାଜିକ ବିଶ୍ୱାସ ରହିଛି। ଭଗବାନ ଶ୍ରୀରାମ ୧୪ ବର୍ଷର ବନବାସ ପରେ ଅଯୋଧ୍ୟା ଫେରିବା ଖୁସିରେ ପ୍ରଜାମାନେ ଦୀପ ଜଳାଇବା ସହ ଆନନ୍ଦ ଉଲ୍ଲାସ ପ୍ରକଟ କରିବାକୁ ବାଣ ଫୁଟାଇଥିଲେ ବୋଲି ବିଶ୍ୱାସ ରହିଛି । ଓଡ଼ିଶାରେ ଦୀପାବଳି ଦିନ ‘ବଡ଼ବଡ଼ୁଆ ଡାକ’ ପରମ୍ପରା ରହିଛି, ଯେଉଁଠାରେ କାଉଁରିଆ କାଠି ଜଳାଇ ଏବଂ ବାଣ ଫୁଟାଇ ଆକାଶକୁ ଆଲୋକିତ କରାଯାଏ, ଯାହାଦ୍ୱାରା ପିତୃପୁରୁଷମାନେ ସ୍ୱର୍ଗଲୋକକୁ ଫେରିଯିବା ପାଇଁ ବାଟ ଦେଖିପାରିବେ ।
ଆଜିକାଲି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପାରମ୍ପରିକ ବାଣ ବଦଳରେ ସବୁଜ ବାଣ (Green Crackers) ଫୁଟାଇବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି, ଯାହା ଦ୍ୱାରା ପରମ୍ପରା ମଧ୍ୟ ବଜାୟ ରହେ ଏବଂ ପ୍ରଦୂଷଣ ମଧ୍ୟ କମ୍ ହୁଏ ।
ବାଣ ଧୂଆଁରେ କ’ଣ ରହିଛି ହାନିକାରକ?
ବାଣ ଫୁଟିବା ସମୟରେ ବାୟୁମଣ୍ଡଳରେ ମିଶିଥାଏ ସୂକ୍ଷ୍ମ ଧୂଳିକଣା ବା PM2.5 ଓ PM10 ସହିତ ସଲଫର ଡାଇଅକ୍ସାଇଡ୍, ନାଇଟ୍ରୋଜେନ୍ ଅକ୍ସାଇଡ୍ ଏବଂ ବିଭିନ୍ନ ଧାତବ କଣିକା। ଏହି ପ୍ରଦୂଷକ ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରି ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ।
କେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ?
୧. ଶ୍ୱାସକ୍ରିୟାରେ ସମସ୍ୟା ଓ କାଶ ହୋଇପାରେ।
୨. ଆଖିରେ ଜ୍ୱଳନ, ପାଣି ବାହାରିବା ଓ ଗଳା ଶୁଖିବା ଭଳି ସମସ୍ୟା ହୋଇପାରେ।
୩. ଆଜ୍ମା ଓ ଅନ୍ୟ ଶ୍ୱାସଜନିତ ରୋଗୀଙ୍କ ସମସ୍ୟା ବଢ଼ିପାରେ।
୪. ହୃଦ୍ରୋଗୀ ଏବଂ ବୟସ୍କ ବ୍ୟକ୍ତିଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ବିପଦଜନକ ହୋଇପାରେ।
୫. ଛୋଟ ପିଲାଙ୍କ ଶ୍ୱାସନଳୀ ଅଧିକ ସମ୍ବେଦନଶୀଳ ଥିବାରୁ ଧୂଆଁର ପ୍ରଭାବ ପଡ଼ିପାରେ।
କିପରି ରହିବେ ସତର୍କ?
ଅତ୍ୟଧିକ ବାଣ ଫୁଟୁଥିବା ସ୍ଥାନଠାରୁ ଦୂରେଇ ରୁହନ୍ତୁ। ଧୂଆଁ ଅଧିକ ଥିବା ସମୟରେ ବାହାରକୁ ଯିବା କମାନ୍ତୁ। ଆଜ୍ମା,ହୃଦ୍ରୋଗୀ, ବୟସ୍କ ଓ ଛୋଟ ପିଲାଙ୍କୁ ଧୂଆଁଠାରୁ ଦୂରେ ରଖନ୍ତୁ। ବାହାରେ ରହିବା ଆବଶ୍ୟକ ହେଲେ ଠିକ୍ ଭାବରେ ଫିଟ୍ ହେଉଥିବା N95 ମାସ୍କ ବ୍ୟବହାର କରନ୍ତୁ। ଏହା ଧୂଳିକଣାରୁ ସୁରକ୍ଷା ଦେଇପାରେ, କିନ୍ତୁ ସମସ୍ତ ବିଷାକ୍ତ ଗ୍ୟାସ୍ରୁ ନୁହେଁ। ଘର ଭିତରକୁ ଧୂଆଁ ପ୍ରବେଶ ନକରିବା ପାଇଁ ଦ୍ୱାର ଓ ଝରକା ବନ୍ଦ ରଖନ୍ତୁ, ଯେପର୍ଯ୍ୟନ୍ତ ବାହାର ବାୟୁର ମାନ ଖରାପ ରହିଛି। ପର୍ଯ୍ୟାପ୍ତ ପାଣି ପିଅନ୍ତୁ ଏବଂ ଆଖିରେ ଜ୍ୱଳନ ହେଲେ ସଫା ପାଣିରେ ଧୋଇଦିଅନ୍ତୁ। ଶ୍ୱାସକଷ୍ଟ, ଛାତିରେ ଯନ୍ତ୍ରଣା କିମ୍ବା ଅଧିକ ଅସୁସ୍ଥତା ଅନୁଭବ ହେଲେ ତୁରନ୍ତ ଡାକ୍ତରୀ ସହାୟତା ନିଅନ୍ତୁ।
ସଚେତନତା ହିଁ ସୁରକ୍ଷା :
ଦୀପାବଳିର ପ୍ରକୃତ ଆନନ୍ଦ ହେଉଛି ସୁସ୍ଥ ଓ ସୁରକ୍ଷିତ ରହିବା। ତେଣୁ ଅଯଥା ବାଣ ଫୁଟାଇ ବାୟୁ ଓ ଶଦ୍ଦ ପ୍ରଦୂଷଣ ବଢ଼ାଇବା ପରିବର୍ତ୍ତେ ଦୀପ ଓ ଆଲୋକରେ ପର୍ବ ପାଳନ କରନ୍ତୁ। ନିଜେ ସଚେତନ ହୁଅନ୍ତୁ, ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ।










