ଦେବଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସାଂଘାତିକ ସ୍ଥିତି! ୨୧୪ ଡାକ୍ତର ପଦରୁ ୧୨୧ ଖାଲି, ମାତ୍ର ୯୩ ଡାକ୍ତରଙ୍କ ଭରସାରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗ ।
ଦେବଗଡ଼, ୭/୧୧ (ସରୋଜ ଶତପଥୀ): କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଅତ୍ୟାଧୁନିକ ସାତ ମହଲା ବିଶିଷ୍ଟ ଚିକିତ୍ସାଳୟ। ରହିଛି ୩୦୦ ଶଯ୍ୟାର ବ୍ୟବସ୍ଥା। ହେଲେ ଚିକିତ୍ସା କରିବେ କିଏ? ଡାକ୍ତର ଅଭାବରେ ଯଦି ଚିକିତ୍ସାସେବା ବାଧାପ୍ରାପ୍ତ ହୁଏ, ତେବେ ଏତେ ବଡ଼ ଭିତ୍ତିଭୂମିର ଲାଭ କାହାକୁ ମିଳିବ? ଏଭଳି ଅନେକ ପ୍ରଶ୍ନ ଏବେ ଦେବଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟସେବାକୁ ନେଇ ସାଧାରଣରେ ଉଠିବାରେ ଲାଗିଛି।
ଜିଲ୍ଲାରେ ମୋଟ ୨୧୪ଟି ଡାକ୍ତର ପଦ ମଞ୍ଜୁର ହୋଇଥିବା ବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୯୩ ଜଣ। ଅର୍ଥାତ୍ ୧୨୧ଟି ଡାକ୍ତର ପଦ ଖାଲି ପଡ଼ିଛି। ମଞ୍ଜୁରିପ୍ରାପ୍ତ ପଦର ପ୍ରାୟ ୫୬ ପ୍ରତିଶତ ଖାଲି ରହିଥିବା ବେଳେ ଅଧାରୁ ଅଧିକ ଡାକ୍ତର ପଦବିନା ଚାଲିଛି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା। ଫଳରେ ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ଜଟିଳ ରୋଗରେ ପୀଡ଼ିତ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଉପଯୁକ୍ତ ଚିକିତ୍ସା ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ଗତ ଏକବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦେବଗଡ଼ ଗସ୍ତ ସମୟରେ ସହର ନିକଟସ୍ଥ ନୂଆବାଲିରୋଇ ଠାରେ ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠା ଉଦ୍ଘାଟିତ ହୋଇଥିଲା। ୪୦ ଏକର ଜମିରେ ପ୍ରାୟ ୧୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସାତ ମହଲା କୋଠାକୁ ଦେଖି ଜିଲ୍ଲାବାସୀ ଉନ୍ନତ ଓ ଆଧୁନିକ ସ୍ୱାସ୍ଥ୍ୟସେବାର ସ୍ୱପ୍ନ ଦେଖିଥିଲେ। କିନ୍ତୁ ନୂତନ କୋଠାକୁ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ମଧ୍ୟ ଡାକ୍ତର ଅଭାବର ଚିତ୍ର ବଦଳିନାହିଁ।
କେବଳ ସାଧାରଣ ଡାକ୍ତର ନୁହନ୍ତି, ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ମଧ୍ୟ ଚିନ୍ତାଜନକ। ଜିଲ୍ଲାରେ ୫୩ଟି ବିଶେଷଜ୍ଞ ଡାକ୍ତର ପଦ ମଞ୍ଜୁର ଥିବା ବେଳେ କାର୍ଯ୍ୟରତ ଅଛନ୍ତି ମାତ୍ର ୧୪ ଜଣ। ଅର୍ଥାତ୍ ୩୯ଟି ପଦ ଖାଲି ପଡ଼ିଛି। ଏହା ମଧ୍ୟରେ ୭ ଜଣ ଡାକ୍ତର ଦୀର୍ଘ ଛୁଟିରେ ଥିବା ବେଳେ ୨୭ ଜଣ ଉଚ୍ଚଶିକ୍ଷା ପାଇଁ ପିଜି ପାଠ୍ୟକ୍ରମରେ ଯାଇଛନ୍ତି।
ସ୍ୱାସ୍ଥ୍ୟ ବ୍ୟବସ୍ଥାର ଅନ୍ୟ କର୍ମଚାରୀଙ୍କ ସ୍ଥିତି ମଧ୍ୟ ଆହୁରି ଚିନ୍ତାଜନକ। ଜିଲ୍ଲାରେ ୧୯୪ଟି ନର୍ସିଂ ଅଫିସର ପଦ ମଧ୍ୟରୁ ମାତ୍ର ୯୫ଟି ପୂରଣ ହୋଇଥିବା ବେଳେ ୯୯ଟି ଖାଲି ରହିଛି। ସେହିପରି ୪୬ଟି ଫାର୍ମାସି ଅଫିସର ପଦରୁ ୧୫ଟି ପୂରଣ ହୋଇଛି ଓ ୩୧ଟି ଖାଲି ରହିଛି। ୨୫ଟି ଲାବରାଟୋରି ଟେକ୍ନିସିଆନ ପଦରୁ ମାତ୍ର ୬ଟି ପୂରଣ ହୋଇଥିବା ବେଳେ ୧୯ଟି ଖାଲି ପଡ଼ିଛି। ଅନ୍ୟପଟେ ୧୦ଟି ରେଡିଓଗ୍ରାଫର ପଦ ମଧ୍ୟରୁ ୪ ଜଣ କାର୍ଯ୍ୟରତ ଥିବା ବେଳେ ୬ଟି ପଦ ଖାଲି ରହିଛି।
୧୯୯୪ ମସିହାରେ ଦେବଗଡ଼ ଜିଲ୍ଲାର ମାନ୍ୟତା ପାଇବା ପରଠାରୁ ଜିଲ୍ଲାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି। ବର୍ତ୍ତମାନ ଜିଲ୍ଲାରେ ୪ଟି ସିଏଚ୍ସି ଓ ୮ଟି ପିଏଚ୍ସି ରହିଛି। କିନ୍ତୁ ଏତେ ସବୁ ସ୍ୱାସ୍ଥ୍ୟକେନ୍ଦ୍ର ଥାଇ ମଧ୍ୟ ଆବଶ୍ୟକ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବାର ଗୁଣବତ୍ତା ନେଇ ପ୍ରଶ୍ନ ଉଠୁଛି। ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ଜିଲ୍ଲାରେ ଶତାଧିକ ଡାକ୍ତର ପଦ ଖାଲି ପଡ଼ିଛି, ସେଠାରେ ରୋଗୀଙ୍କୁ କିଭଳି ଉନ୍ନତ ଚିକିତ୍ସା ମିଳିବ? ଗୁରୁତର ରୋଗୀଙ୍କୁ ଅନ୍ୟ ଜିଲ୍ଲା କିମ୍ବା ବଡ଼ ଡାକ୍ତରଖାନାକୁ ଯିବାକୁ ପଡ଼ିଲେ ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଓ ମାନସିକ ବୋଝ ପଡ଼ୁଛି।
କେବଳ ବଡ଼ ବଡ଼ କୋଠା ନିର୍ମାଣ କରିଦେଲେ ସ୍ୱାସ୍ଥ୍ୟସେବାର ବିକାଶ ହୁଏନାହିଁ। ଏଥିପାଇଁ ଆବଶ୍ୟକ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ବୈଷୟିକ କର୍ମଚାରୀ। ତେଣୁ ଦେବଗଡ଼ ଜିଲ୍ଲାରେ ଖାଲି ପଡ଼ିଥିବା ସମସ୍ତ ପଦ ତୁରନ୍ତ ପୂରଣ କରିବା ସହ ନୂତନ ମୁଖ୍ୟ ଚିକିତ୍ସାଳୟରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟସେବା ଉପଲବ୍ଧ କରାଇବାକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି।










