ନିତିଦିନ ବଢ଼ୁଛି ଦରଦାମ୍। ହାଟ ବଜାରକୁ ଗଲେ ଗ୍ରାହକଙ୍କୁ ଲାଗୁଛି ମହଙ୍ଗା ମାଡ଼। ଚାଉଳ, ଡାଲି, ତେଲ ଠାରୁ ଆରମ୍ଭ କରି ପନିପରିବା ଓ ରୋଷେଇ ଘରର ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ରୋଜଗାର ଯେତିକି, ଖର୍ଚ୍ଚ ତା’ଠାରୁ ଅଧିକ। ଫଳରେ ମାସ ଶେଷ ହେବା ପୂର୍ବରୁ ଖାଲି ହୋଇଯାଉଛି ଅନେକ ପରିବାରର ପକେଟ୍। ଏଭଳି ସ୍ଥିତିରେ ଘରର ବଜେଟ୍ ସମ୍ଭାଳିବା ସାଧାରଣ ପରିବାର ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।
ଦେବଗଡ ୧୨/୧୧ (ସରୋଜ ଶତପଥୀ) : ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ହୁ ହୁ ହୋଇ ବଢିଚାଲିଛି। ମହଙ୍ଗା ମାଡ଼ରେ ଆଉଟୁ ପାଉଟୁ ହେଲେଣି ସାଧାରଣ ଲୋକେ। ସକାଳର କ୍ଷୀରଠାରୁ ଆରମ୍ଭ କରି ରାତିର ରୋଷେଇ ଓ ଘର ସଫା କରିବା ସାମଗ୍ରୀ ପର୍ଯ୍ୟନ୍ତ, ସବୁଠି ବଢ଼ିଛି ଦର। ଗତ ଦୁଇ ମାସ ମଧ୍ୟରେ କ୍ଷୀର, ଘିଅ, ବଟର, ସାବୁନ, ଡିଟରଜେଣ୍ଟ, ସିଗାରେଟ୍ ଓ ଗ୍ୟାସ୍ ଦରରେ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି।
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡେୟରୀ କ୍ଷୀର ଲିଟର ପିଛା ୨ରୁ ୪ ଟଙ୍କା ବଢ଼ାଇଛନ୍ତି। ଦିଲ୍ଲୀ-ଏନ୍ସିଆର୍ରେ ମଦର ଡେୟରୀ ଫୁଲ୍ କ୍ରିମ୍ କ୍ଷୀର ଏବେ ୭୬ ଟଙ୍କା, ଟୋନ୍ଡ କ୍ଷୀର ୬୨ ଟଙ୍କା ଓ ଗାଈ କ୍ଷୀର ୬୫ ଟଙ୍କା ହୋଇଛି। ଓଡ଼ିଶାରେ ଓମ୍ଫେଡ ମଧ୍ୟ କ୍ଷୀର ଦର ବଢ଼ାଇଛି। ଓମ୍ଫେଡର ଏକ ଲିଟର ଟୋନ୍ଡ କ୍ଷୀର ୫୬ରୁ ୫୮ ଟଙ୍କା ହୋଇଛି।
କେବଳ କ୍ଷୀର ନୁହେଁ, ଘିଅ ଓ ବଟର ମଧ୍ୟ ମହଙ୍ଗା ହୋଇଛି। ଅମୂଲର ଏକ କିଲୋ ଘିଅ ଏବେ ୬୮୦ ଟଙ୍କା, ଯାହା ପୂର୍ବ ଦରଠାରୁ ୫୦ ଟଙ୍କା ଅଧିକ। ହିନ୍ଦୁସ୍ତାନ ୟୁନିଲିଭର ସର୍ଫ ଏକ୍ସେଲ୍, ରିନ୍ ଓ ହ୍ୱିଲ୍ ଭଳି ଡିଟରଜେଣ୍ଟର ଦର ବଢ଼ାଇଛି। ସର୍ଫ ଏକ୍ସେଲ୍ କ୍ୱିକ୍ ୱାଶ୍ର ଏକ କିଲୋ ପ୍ୟାକେଟ୍ ୨୩୫ରୁ ୨୪୫ ଟଙ୍କା ହୋଇଛି।
ସେପଟେ ଦିଲ୍ଲୀରେ ୧୯ କିଲୋ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଦର ଅକ୍ଟୋବର ଓ ନଭେମ୍ବରରେ ମୋଟ ୭୨ ଟଙ୍କା ୫୦ ପଇସା ବଢ଼ି ୨,୮୨୦ ଟଙ୍କାରେ ପହଞ୍ଚିଛି। ପିସ୍ତା ଦର ବର୍ଷକ ମଧ୍ୟରେ ୬୦ରୁ ୭୦ ପ୍ରତିଶତ ଓ ବାଦାମ ଦର ୨୦ରୁ ୪୦ ପ୍ରତିଶତ ବଢ଼ିଥିବା ରିପୋର୍ଟରେ କୁହାଯାଇଛି।
ଏହି ଦରବୃଦ୍ଧି ଭିତରେ ମହଙ୍ଗା ମାଡ଼କୁ ଆହୁରି ଚିନ୍ତାଜନକ କରିଛି ଖୁଚୁରା ମୁଦ୍ରାସ୍ଫୀତି। ଅକ୍ଟୋବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୦୯ ପ୍ରତିଶତକୁ ବଢ଼ିଛି, ଯାହା ସେପ୍ଟେମ୍ବରରେ ୫.୫୪ ପ୍ରତିଶତ ଥିଲା। ଦୀର୍ଘ ଦିନ ପରେ ଏହା ପ୍ରଥମ ଥର ପାଇଁ ଆରବିଆଇର ୬ ପ୍ରତିଶତ ଉପର ସୀମାକୁ ଟପିଛି। ଖାଦ୍ୟ ମୁଦ୍ରାସ୍ଫୀତି ମଧ୍ୟ ୭.୭୪ରୁ ବଢ଼ି ୮.୯୪ ପ୍ରତିଶତ ହୋଇଛି। ପିଆଜ, ରସୁଣ ଓ ଅଦା ଭଳି ସାମଗ୍ରୀର ଦରବୃଦ୍ଧି ଏହାର ପ୍ରମୁଖ କାରଣ।
ଆରବିଆଇର ଲକ୍ଷ୍ୟ ମୁଦ୍ରାସ୍ଫୀତିକୁ ୪ ପ୍ରତିଶତରେ ରଖିବା, ଯାହାର ସହନସୀମା ୨ରୁ ୬ ପ୍ରତିଶତ। କିନ୍ତୁ ଏବେ ଏହା ସୀମା ଡେଇଁଥିବାରୁ ଚିନ୍ତା ବଢ଼ିଛି। କ୍ଷୀରଠାରୁ ଗ୍ୟାସ୍, ଘିଅଠାରୁ ସାବୁନ ସବୁଠି ଦରବୃଦ୍ଧିର ଚାପ।
ବିଶେଷକରି ଦୈନିକ ମଜୁରି କରି ଜୀବିକା ନିର୍ବାହ କରୁଥିବା ଶ୍ରମିକ, ନିମ୍ନ ଆୟବର୍ଗ ଓ ମଧ୍ୟବିତ୍ତ ପରିବାର ଏହି ମହଙ୍ଗା ମାଡ଼ରେ ଅଧିକ ପ୍ରଭାବିତ ହେଉଛନ୍ତି। ଆୟରେ ବିଶେଷ ବୃଦ୍ଧି ହେଉନଥିବା ବେଳେ ଦୈନନ୍ଦିନ ଖର୍ଚ୍ଚ ବଢ଼ିବା ଯୋଗୁଁ ଅନେକ ପରିବାରକୁ ନିଜର ଆବଶ୍ୟକତା କାଟଛାଣ୍ଟ କରିବାକୁ ପଡ଼ୁଛି।
ମହଙ୍ଗା ମାଡ଼ରେ ଅତିଷ୍ଠ ସାଧାରଣ ଜନତା ଏବେ ଦରଦାମ୍ ନିୟନ୍ତ୍ରଣକୁ ଅପେକ୍ଷା କରିଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀର ଦର ସାଧାରଣ ଲୋକଙ୍କ କ୍ରୟ କ୍ଷମତା ମଧ୍ୟରେ ରହିବା ସହ ବଜାରରେ ନିୟମିତ ଯାଞ୍ଚ ଓ ଉଚିତ ମୂଲ୍ୟରେ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଜରୁରୀ। ନଚେତ୍ ଦରଦାମ୍ ବୃଦ୍ଧିର ଏହି ବୋଝ ସାଧାରଣ ପରିବାରର ଜୀବନ ଯାପନକୁ ଆହୁରି କଷ୍ଟକର କରିଦେବ।










