ଦେବଗଡ଼ରେ ମୁନିସିପାଲିଟି ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା, ୩୫ ଜଣ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ, ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହେଲେ କୃତୀ ପ୍ରତିଯୋଗୀ।
ଦେବଗଡ଼, ୨/୧୧ (ସରୋଜ ଶତପଥୀ) : ପିଲାମାନଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି, ନୈତିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଚେତନାର ବିକାଶ ଲକ୍ଷ୍ୟରେ ପ୍ରଜ୍ଞାନ ମିଶନ ପକ୍ଷରୁ ଦେବଗଡ଼ ସହରରେ ମୁନିସିପାଲିଟି ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ମହାସମାରୋହରେ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ବାଲ ଭାରତୀ ଇଂଲିଶ ମିଡିୟମ ସ୍କୁଲ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟରୁ ୩୫ ଜଣ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରି ଶ୍ରୀମଦ୍ଭଗବଦ୍ ଗୀତାର ଶ୍ଳୋକ ଆବୃତ୍ତି କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡ଼ାବିତ୍ ହେମନ୍ତ ମହାପାତ୍ର ଯୋଗଦେଇ ଜୀବନ ଦର୍ଶନ ଓ ଚରିତ୍ର ଗଠନରେ ଶ୍ରୀମଦ୍ଭଗବଦ୍ ଗୀତାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗୀତାର ଶିକ୍ଷା ମଣିଷକୁ ଉତ୍ତମ ଚରିତ୍ର ଗଠନ ସହ ଜୀବନରେ ସଠିକ୍ ମାର୍ଗରେ ଆଗେଇବାକୁ ପ୍ରେରଣା ଦେଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ତଥା ବିଚାରକ ଭାବେ ପ୍ରବୋଧ ଚୈତନ୍ୟ, ସସ୍ମିତା ମହାରଥା, ଦୈତାରୀ ଦ୍ୱିବେଦୀ, ସନ୍ତୋଷ କୁମାର ଆଚାର୍ଯ୍ୟ, କୈଳାସ ନନ୍ଦ, ପ୍ରକାଶ ସାହୁ, ତପନ କୁମାର ସାମଲ ଓ ବିଶ୍ୱେଶ୍ୱର ମିଶ୍ର ମଞ୍ଚାସୀନ ଥିଲେ।

ପ୍ରତିଯୋଗୀମାନେ ଶୁଦ୍ଧ ଉଚ୍ଚାରଣ, ସ୍ପଷ୍ଟତା ଓ ଆତ୍ମବିଶ୍ୱାସର ସହ ଗୀତାର ଶ୍ଳୋକ ଆବୃତ୍ତି କରି ଉପସ୍ଥିତ ଅତିଥି ଓ ଦର୍ଶକଙ୍କ ମନ ମୋହିଥିଲେ। ପ୍ରତିଯୋଗିତା ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଥିଲା।
ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜିକା ଗାୟତ୍ରୀ ଦ୍ୱିବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବାଲ ଭାରତୀ ଇଂଲିଶ ମିଡିୟମ ସ୍କୁଲର ଅଧ୍ୟକ୍ଷା ସୁପ୍ରିୟା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।
ଏହି ଅବସରରେ ଦେବଗଡ଼ ଜିଲ୍ଲା ପ୍ରଜ୍ଞାନ ମିଶନର ସଂଯୋଜକ ତୁଷାର କାନ୍ତ କପର୍ଦ୍ଦାର ଏବଂ କର୍ମକର୍ତ୍ତା ଶ୍ରୀକାନ୍ତ ମହାପାତ୍ର ଓ ତପନ କୁମାର ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଶେଷରେ ତୁଷାର କାନ୍ତ କପର୍ଦ୍ଦାର ଧନ୍ୟବାଦ ଅର୍ପଣ କରିଥିଲେ।
ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ସେମାନଙ୍କ ନୈତିକ ଶିକ୍ଷା ଓ ଚରିତ୍ର ଗଠନରେ ସହାୟକ ହେବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ।









