🔍

ଦିଲ୍ଲୀରେ INDIA ମେଣ୍ଟର ମହାସମାବେଶ, ଭୋଟ ଚୋରି ଅଭିଯୋଗରେ ନିର୍ବାଚନ ଆୟୋଗଙ୍କୁ ଘେରିଲେ ବିରୋଧୀ ।

୧ ନଭେମ୍ବର ୨୦୨୬ରେ ନୂଆଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନଠାରେ ବିରୋଧୀ ‘ଇଣ୍ଡିଆ’ (INDIA) ମେଣ୍ଟ ପକ୍ଷରୁ ଏକ ବିଶାଳ ମହାରାଲି ଓ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ କମିଶନଙ୍କ ଦ୍ୱାରା ଭୋଟର ତାଲିକା ସଂଶୋଧନରେ ହୋଇଥିବା ଅନିୟମିତତା ବିରୋଧରେ ଏବଂ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ଏହି ଶକ୍ତି ପ୍ରଦର୍ଶନ କରାଯାଇଥିଲା

ନୂଆଦିଲ୍ଲୀ ୧/୧୧ : ରାଜଧାନୀ ଦିଲ୍ଲୀରେ ତୀବ୍ର ହୋଇଛି ଜାତୀୟ ରାଜନୀତି। ଭୋଟର ତାଲିକାରେ ଅନିୟମିତତା ଏବଂ ଭୋଟରଙ୍କ ନାମ ବାଦ୍ ପଡ଼ିବା ପ୍ରସଙ୍ଗକୁ ନେଇ ରବିବାର ରାମଲୀଳା ମଇଦାନରେ ବିଶାଳ ମହାସମାବେଶ କରିଛି ବିରୋଧୀ INDIA ମେଣ୍ଟ। ଏହି ସମାବେଶରେ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ଜୋରଦାର ସ୍ୱର ଉଠାଇଛନ୍ତି ବିରୋଧୀ ଦଳର ନେତାମାନେ।
ଏହି ମହାସମାବେଶରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଏସପି ମୁଖ୍ୟ ଅଖିଳେଶ ଯାଦବ ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ଭଳି ବହୁ ପ୍ରମୁଖ ନେତା ଏକ ଖୋଲା ଜିପ୍/ବସ ରେ କନଟ୍ ପ୍ଲେସରୁ ବାହାରି ରାମଲୀଳା ମୈଦାନ ପର୍ଯ୍ୟନ୍ତ ଯାଇଥିଲେ ।


ଭୋଟର ତାଲିକାର ସ୍ୱଚ୍ଛତା ଏବଂ ମତଦାନ ଅଧିକାରର ସୁରକ୍ଷାକୁ ନେଇ ଏହି ସମାବେଶ ଆୟୋଜନ କରାଯାଇଥିଲା। ସମାବେଶରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧୀ ନିର୍ବାଚନୀ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲେ। ଭୋଟର ତାଲିକାରୁ ଲକ୍ଷ ଲକ୍ଷ ନାଗରିକଙ୍କ ନାମ ବାଦ୍ ପଡ଼ିବା ଏକ ଗମ୍ଭୀର ପ୍ରସଙ୍ଗ ବୋଲି ସେ ଅଭିଯୋଗ କରିଥିଲେ। ଏଥିସହ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟ ଉଠାଇଛି INDIA ମେଣ୍ଟ। Special Intensive Revision ବା SIR ପ୍ରକ୍ରିୟାକୁ ନେଇ ମଧ୍ୟ ବିରୋଧୀ ଦଳଗୁଡ଼ିକ ଆପତ୍ତି ପ୍ରକାଶ କରିଛନ୍ତି। ଏହି ପ୍ରକ୍ରିୟାରେ ବହୁ ସଂଖ୍ୟକ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ସେମାନଙ୍କ ଅଭିଯୋଗ।
ସେପଟେ ବିରୋଧୀଙ୍କ ଏହି ମହାସମାବେଶକୁ ନେଇ ବିଜେପି ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ବିରୋଧୀ ଦଳମାନେ ରାଜନୈତିକ ସ୍ୱାର୍ଥ ପାଇଁ ଏଭଳି ଆନ୍ଦୋଳନ କରୁଥିବା ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଦିଲ୍ଲୀରେ ସମାବେଶକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଯାତାୟାତ ନିୟନ୍ତ୍ରଣ ପାଇଁ ମଧ୍ୟ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଭୋଟର ତାଲିକାର ସ୍ୱଚ୍ଛତା, ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଏବଂ ମତଦାନ ଅଧିକାରର ସୁରକ୍ଷାକୁ ନେଇ ଏହି ପ୍ରସଙ୍ଗ ଜାତୀୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ତେବେ INDIA ମେଣ୍ଟର ଏହି ମହା ସମାବେଶ ଆଗାମୀ ଦିନରେ ଦେଶର ରାଜନୈତିକ ସମୀକରଣକୁ କେତେ ପ୍ରଭାବିତ କରିବ, ତାହା ଏବେ ଦେଖିବାର ବିଷୟ।

deogarhsamachar
Author: deogarhsamachar

Leave a Comment

शहर चुनें