ଅନ୍ୟ ନାଁରେ SIM ଚଳାଉଛନ୍ତି କି? ସାବଧାନ ! DoTର କଡ଼ା ଚେତାବନୀ; ହୋଇପାରେ ୩ ବର୍ଷ ଜେଲ୍, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା।
ନୂଆଦିଲ୍ଲୀ 22/9 : ମୋବାଇଲ୍ SIM କାର୍ଡ, ଟେଲିକମ୍ ଆଇଡେଣ୍ଟିଫାୟର ଏବଂ ମୋବାଇଲ୍ ଫୋନ୍ର IMEI ନମ୍ବରକୁ ନେଇ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ (DoT) ପକ୍ଷରୁ ନାଗରିକମାନଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ୨୧ ସେପ୍ଟେମ୍ବର ୨୦୨୬ରେ ଜାରି ସୂଚନାରେ ବିଭାଗ କହିଛି ଯେ ଜାଲିଆତି କରି SIM ନେବା, ଟେଲିକମ୍ ଆଇଡେଣ୍ଟିଫାୟରର ଦୁରୁପଯୋଗ କିମ୍ବା IMEI ନମ୍ବରରେ ହେରଫେର ଭଳି ଅପରାଧ ପାଇଁ Telecommunications Act, 2023 ଅଧୀନରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା, କିମ୍ବା ଉଭୟ ହୋଇପାରେ।
DoTର ଏହି ଚେତାବନୀ ପଛରେ ସାଇବର ଅପରାଧ ଓ ଟେଲିକମ୍ ସମ୍ବଳର ଦୁରୁପଯୋଗକୁ ରୋକିବା ମୁଖ୍ୟ ଉଦ୍ଦେଶ୍ୟ। ବିଭାଗ କହିଛି ଯେ ଟେଲିକମ୍ ଆଇଡେଣ୍ଟିଫାୟରର ଅପବ୍ୟବହାର ନାଗରିକଙ୍କ ସୁରକ୍ଷା ସହିତ ଦୂରସଞ୍ଚାର ନେଟୱର୍କର ସୁରକ୍ଷା ଓ ଅଖଣ୍ଡତା ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ।
କେଉଁ କାମକୁ ନେଇ ଚେତାବନୀ?
ପ୍ରଥମେ ଆସୁଛି ଜାଲିଆତି କରି SIM ହାସଲ କରିବା। ମିଥ୍ୟା ଦସ୍ତାବିଜ, ଠକେଇ କିମ୍ବା ଅନ୍ୟ କାହାର ପରିଚୟ ଦେଇ SIM କାର୍ଡ ନେବାକୁ ଆଇନ ଅଧୀନରେ ଅପରାଧ ଭାବେ ଧରାଯାଇଛି। Telecommunications Act, 2023ର ଧାରା ୪୨(୩)(e) ଏଭଳି fraud, cheating କିମ୍ବା impersonation ମାଧ୍ୟମରେ SIM କିମ୍ବା ଟେଲିକମ୍ ଆଇଡେଣ୍ଟିଫାୟର ହାସଲ କରିବାକୁ ନିଷିଦ୍ଧ କରେ।
ଦ୍ୱିତୀୟତଃ, ନିଜ ନାଁରେ ନିଆଯାଇଥିବା SIM ଅନ୍ୟ ବ୍ୟକ୍ତିଙ୍କୁ ଦେବା ନେଇ ମଧ୍ୟ DoT ସତର୍କ କରିଛି। କୌଣସି ବ୍ୟକ୍ତି ନିଜ ନାଁରେ SIM ନେଇ ତାହାକୁ ଅନ୍ୟକୁ ଧାର, ଭଡ଼ା କିମ୍ବା ବ୍ୟବହାର ପାଇଁ ଦେଇଥାନ୍ତି ଏବଂ ପରେ ସେହି SIM କୌଣସି ଅବୈଧ କାର୍ଯ୍ୟରେ ବ୍ୟବହୃତ ହୁଏ, ତେବେ ମୂଳ ସବ୍ସକ୍ରାଇବରଙ୍କ ବିରୋଧରେ ମଧ୍ୟ ଆଇନଗତ ଦାୟିତ୍ୱ ଆସିପାରେ IMEI ନମ୍ବରରେ ହେରଫେର ମଧ୍ୟ ଅପରାଧ
ମୋବାଇଲ୍ ଫୋନ୍ର IMEI (International Mobile Equipment Identity) ହେଉଛି ଡିଭାଇସ୍ ସହିତ ସମ୍ପର୍କିତ ଏକ ୟୁନିକ୍ ଟେଲିକମ୍ ଆଇଡେଣ୍ଟିଫାୟର। ଏହି ନମ୍ବରକୁ ବଦଳାଇବା, ହେରଫେର କରିବା କିମ୍ବା tampered IMEI ଥିବା ଡିଭାଇସ୍ ବ୍ୟବହାର କରିବା ଉପରେ ମଧ୍ୟ ଆଇନଗତ କଟକଣା ରହିଛି।
Telecommunications Act, 2023ର ଧାରା ୪୨(୩)(c) ଟେଲିକମ୍ ଆଇଡେଣ୍ଟିଫାୟରରେ ହେରଫେରକୁ ନିଷିଦ୍ଧ କରିଛି। ୨୦୨୫ରେ ମଧ୍ୟ DoT ଏହି ବ୍ୟବସ୍ଥା ସମ୍ପର୍କରେ ନାଗରିକମାନଙ୍କୁ ସଚେତନ କରିଥିଲା।
ନାଗରିକଙ୍କୁ DoTର ପରାମର୍ଶ :
DoT ଅନୁସାରେ ନାଗରିକମାନେ ନିଜ ନାଁରେ ଥିବା SIM ଅନ୍ୟ ବ୍ୟକ୍ତିଙ୍କୁ ଧାର, ଭଡ଼ା କିମ୍ବା ବ୍ୟବହାର ପାଇଁ ଦେବାରୁ ଦୂରେଇ ରହିବା ଉଚିତ। ମିଥ୍ୟା ଦସ୍ତାବିଜ କିମ୍ବା ଅନ୍ୟର ପରିଚୟ ଦେଇ SIM ନେବା ଉଚିତ ନୁହେଁ। tampered କିମ୍ବା ଅନଧିକୃତ IMEI ଥିବା ଡିଭାଇସ୍ ବ୍ୟବହାର କରିବା ଉଚିତ ନୁହେଁ।
ମୋବାଇଲ୍ ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ Calling Line Identity (CLI) କିମ୍ବା ଅନ୍ୟ telecommunication identifier ବଦଳାଇବା ଭଳି କାର୍ଯ୍ୟରୁ ଦୂରେଇ ରହିବା ଉଚିତ।
ଆଇନରେ ଦଣ୍ଡ ବ୍ୟବସ୍ଥା କ’ଣ ଅଛି?
Telecommunications Act, 2023 ଅଧୀନରେ ଧାରା ୪୨(୩)ରେ ଉଲ୍ଲେଖିତ କେତେକ ଅପରାଧ ପାଇଁ ୩ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ହୋଇପାରେ। ଏହି ଅପରାଧଗୁଡ଼ିକ Section 42(7) ଅନୁସାରେ cognizable ଏବଂ non-bailable ବୋଲି ସରକାରୀ ସୂଚନାରେ ଉଲ୍ଲେଖ ରହିଛି। ଅପରାଧକୁ ସହାୟତା କିମ୍ବା ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ Section 42(6) ଅଧୀନରେ ସମାନ ଦଣ୍ଡର ବ୍ୟବସ୍ଥା ରହିଛି।
ମୋବାଇଲ୍ SIM ଏବେ କେବଳ ଫୋନ୍ କରିବାର ମାଧ୍ୟମ ନୁହେଁ। ଏହା ବ୍ୟାଙ୍କିଂ, UPI, OTP ଏବଂ ବିଭିନ୍ନ ଡିଜିଟାଲ୍ ସେବା ସହିତ ଜଡ଼ିତ। ତେଣୁ ନିଜ ନାଁରେ ଜାରି ହୋଇଥିବା SIM ଅନ୍ୟକୁ ଦେବା କିମ୍ବା ଅଜଣା SIM ନିଜ ନାଁରେ ଚାଲିଥିବାକୁ ଅଣଦେଖା କରିବା ଆଇନଗତ ଓ ସୁରକ୍ଷା ଦୃଷ୍ଟିରୁ ସମସ୍ୟା ସୃଷ୍ଟି କରିପାରେ।
ସେଥିପାଇଁ ନିଜ ନାଁରେ କେତେଟି SIM ଚାଲୁଛି, ତାହା ଯାଞ୍ଚ କରନ୍ତୁ ଏବଂ ଅଜଣା କନେକ୍ସନ୍ ଥିଲେ ତୁରନ୍ତ ଉଚିତ ପଦକ୍ଷେପ ନିଅନ୍ତୁ, ଏହାହିଁ DoTର ମୁଖ୍ୟ ପରାମର୍ଶ।









