ଦେବଗଡ଼ ଜିଲ୍ଲାରେ ସରକାରୀ ଯୋଜନାର ଅଗ୍ରଗତି କେତେଦୂର, କେଉଁଠି ରହିଛି ସମସ୍ୟା ଏବଂ ଲୋକଙ୍କ ପାଖରେ ଯୋଜନାର ସୁଫଳ କିପରି ପହଞ୍ଚୁଛି, ତାହାର ତଦାରଖ କରିବାକୁ ଦେବଗଡ଼ ଗସ୍ତରେ ଆସିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ। ଜିଲ୍ଲା ସର୍କିଟ୍ ହାଉସ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ରାଜସ୍ୱ, ଉନ୍ନୟନ, ଜନକଲ୍ୟାଣ ଓ ବିଭିନ୍ନ ସରକାରୀ ପ୍ରକଳ୍ପର ସ୍ଥିତି ନେଇ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ମନ୍ତ୍ରୀ।
ଦେବଗଡ଼, ୨୧/୯ (ସରୋଜ ଶତପଥୀ) : ଦେବଗଡ଼ ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନା ଓ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଅନୁଷ୍ଠିତ ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମୀକ୍ଷା ବୈଠକ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଦେବଗଡ଼ ଗସ୍ତରେ ଆସି ଜିଲ୍ଲା ସର୍କିଟ୍ ହାଉସ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।
ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଯୋଜନା, ପ୍ରକଳ୍ପର ଅଗ୍ରଗତି ଏବଂ ହିତାଧିକାରୀଙ୍କୁ ଯୋଜନାର ସୁଫଳ ପ୍ରଦାନ ସମ୍ପର୍କରେ ମନ୍ତ୍ରୀ ଅଧିକାରୀ ମାନଙ୍କଠାରୁ ତଥ୍ୟ ନେଇଥିଲେ।
ବିଶେଷକରି ହାଇଟେକ୍ ସର୍ଭେ ଓ ରିଭିଜନ୍, ସ୍କୁଲ୍ ଓ କଲେଜ୍ର ପଟ୍ଟା, ବସୁନ୍ଧରା ଯୋଜନାରେ ଘରଡିହ ବଣ୍ଟନ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପାନୀୟ ଜଳ ଓ ପାଇପ୍ ଜଳ ଯୋଗାଣ, ପରିମଳ, ନୂତନ ରାସନ୍ କାର୍ଡ ବଣ୍ଟନ, ସୁଭଦ୍ରା ଯୋଜନା, ଧାନ ସଂଗ୍ରହ ଏବଂ ପିଡିଏସ୍ର ଇ-କେୱାଇସି ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା କରାଯାଇଥିଲା।
ସେହିପରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା, ଅଟଳ ପେନସନ୍ ଯୋଜନା, ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଖେଳପଡ଼ିଆ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ‘ମୋ ପୋଖରୀ’, ଆଦିବାସୀ ସଂସ୍କୃତି ଭବନ, ଆଦିବାସୀ ଛାତ୍ରଛାତ୍ରୀଙ୍କ ଛାତ୍ରାବାସ, ଜଙ୍ଗଲ ଅଧିକାର, ନୂତନ ପ୍ରକଳ୍ପମଞ୍ଜୁରୀ, ଛାତ୍ରବୃତ୍ତି ବଣ୍ଟନ, ଉଦ୍ୟାନ କୃଷି, ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ସମେତ ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକ ପରେ ମନ୍ତ୍ରୀ ହାଇଟେକ୍ ସର୍ଭେ କାର୍ଯ୍ୟକ୍ରମର ମଧ୍ୟ ସମୀକ୍ଷା କରିଥିଲେ। ଜିଲ୍ଲାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ଅଗ୍ରଗତି,ସମସ୍ୟା ଏବଂ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।








