ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ମୁଖ୍ୟତଃ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ MMDR ଆଇନ ମୁଖ୍ୟ ପ୍ରସଙ୍ଗ ସାଜିବ ବୋଲି ଉଭୟ ବିରୋଧୀ ଦଳ ବିଧାୟକମାନେ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ୨୧/୯ : ଆସନ୍ତା କାଲି ୨୨ ତାରିଖ (ମଙ୍ଗଳବାର) ଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ତେବେ ତା’ ପୂର୍ବରୁ ଆଜି ସନ୍ଧ୍ୟା ୫ଟାରେ ବିଜେଡି ରଣନୀତି ପ୍ରସ୍ତୁତ କରିବ। ଆସନ୍ତାକାଲି ସକାଳେ କଂଗ୍ରେସ ବିଧାୟକ ଦଳ ବୈଠକ ହେବ।ତେବେ ମୌସୁମୀ ଅଧିବେଶନରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ MMDR ଆଇନ ମୁଖ୍ୟ ପ୍ରସଙ୍ଗ ସାଜିବ ବୋଲି ଉଭୟ ବିରୋଧୀ ଦଳ ବିଧାୟକମାନେ ସୂଚନା ଦେଇଛନ୍ତି। ଏହା ସହିତ ପୁସ୍ତକ ମୁଦ୍ରଣ ତ୍ରୁଟି, ଆଇନ ଶୃଙ୍ଖଳା ସ୍ଥିତି ଭଳି ପ୍ରସଙ୍ଗ ଗୃହକୁ ସରଗରମ କରିବ । ବିରୋଧୀ ଦଳକୁ ମୁକାବିଲା କରିବାକୁ ଶାସକ ଦଳ ମଧ୍ୟ ଆଜି ଅପରାହ୍ନରେ ପ୍ରସ୍ତୁତ କରିବେ ରଣନୀତି। ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବ ।
ସେହିପରି ବିଧାନସଭାକୁ ସୁଚାରୁରୂପେ ଚଳାଇବାକୁ ଆଜି ପୂର୍ବାହ୍ନରେ ସର୍ବଦଳୀୟ ବୈଠକ ବସିବ । ସମସ୍ତ ପ୍ରସଙ୍ଗକୁ ନେଇ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି। ବିଧାନସଭା ଭିତର ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ବିଧାନସଭା ପରିସରରେ ୩୬ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୧୫୦ରୁ ଅଧିକ ପୋଲିସ ଅଧିକାରୀ ମୁତୟନ ରହିବେ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ।









