ହଜି ଯାଇଥିବା ମୋବାଇଲ ଫୋନ ଫେରି ପାଇଲ ଅଭିଯୋଗକାରୀ । ଦେବଗଡ ଜିଲ୍ଲା ସାଇବର ଥାନା ପକ୍ଷରୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସମସ୍ତ ମୋବାଇଲ୍ ଫୋନ୍ ଗୁଡ଼ିକୁ ସଫଳତାର ସହ ଉଦ୍ଧାର କରାଯାଇ ଅସଲ ମାଲିକଙ୍କୁ ଫେରସ୍ତ କରାଯାଇଛି ।
ଦେବଗଡ,୨୪/୯ : ଜିଲ୍ଲା ପୁଲିସ ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅବସରରେ ବୁଧବାର ଜିଲ୍ଲା ରିଜର୍ଭ ପୁଲିସର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ‘ମୋବାଇଲ ଫେରସ୍ତ ମେଳା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏସ୍ପି କିଶୋର ଚନ୍ଦ୍ର ମୁଣ୍ଡ ମୁଖ୍ୟ ଅତିଥି, ଅତିରିକ୍ତ ଏସ୍ପି ଧିରଜ ଚୋପଦାର, ଏସ୍ଡିପିଓ ରମେଶ ମାହାନା ଓ ଡିଏସ୍ପି ପବିତ୍ର କିଷାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ସମୟରେ ହଜିଥିବା ଏବଂ ଚୋରି ହୋଇଥିବା ୬୨ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇ ସମ୍ପୃକ୍ତ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲା ସାଇବର ଥାନା ପକ୍ଷରୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସମସ୍ତ ମୋବାଇଲ୍ଗୁଡ଼ିକୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ସାଇବର ଥାନା ଇନ୍ସପେକ୍ଟର ବିପ୍ଳବ ସାହୁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ମୋବାଇଲ ହଜିଯିବା କିମ୍ବା ଚୋରି ହୋଇଯିବା ସଂକ୍ରାନ୍ତରେ ଦେବଗଡ ସାଇବର୍ ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ । ଦୀର୍ଘଦିନ ପରେ ହଜିଯାଇଥିବା ମୋବାଇଲ୍ ଫେରିପାଇଥିବା ଲୋକେ ଏନେଇ ଖୁସି ବ୍ୟକ୍ତ କରିବା ସହ ସାଇବର୍ ଟିମ୍ ଓ ଦେବଗଡ ପୋଲିସ୍ କୁ ସାଧୁବାଦ ଜଣାଇଛନ୍ତି।








