🔍

ଆସୁଛି ବାତ୍ୟା ! ଆସନ୍ତା ୨୭ ତାରିଖ ବେଳକୁ ବାତ୍ୟା ସମ୍ଭାବନା ନେଇ ପାଣିପାଗ ବିଭାଗର ସୂଚନା ।

ପୁଣି ଘାରିଲାଣି ବାତ୍ୟା ଭୟ । ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ଆସନ୍ତା ୨୭ ତାରିଖ ସୁଦ୍ଧା ଘୂର୍ଣ୍ଣିବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି ।

ଭୁବନେଶ୍ୱର ୨୩/୧୦ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗର ଏବଂ ନିକଟସ୍ଥ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି ଅବପାତ, ୨୫ରେ ଗଭୀର ଅବପାତ ଏବଂ ୨୬ ତାରିଖରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛନ୍ତି ଆଇ ଏମ ଡି. ଡିଜି (IMD DG) ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।

ଆସନ୍ତା ୨୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ପବନରେ ବେଗ ଏବେ ଘଣ୍ଟା ପ୍ରତି ୩୫ରୁ ୪୫ କିଲୋମିଟର ରହିଥିବା ବେଳେ ଏହା ଧିରେ ଧିରେ ବଢ଼ି ୨୬ ସକାଳ ବେଳକୁ ୭୦-୮୦ କି.ମି. ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ଏହାପରେ ବାତ୍ୟାଟି ଉପକୂଳ ଆଡକୁ ଯେତିକି ବଢ଼ିବ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିବ। ତେବେ ଲ୍ୟାଣ୍ଡଫଲ୍ ବେଳେ ବେଗ କେତେ ରହିବ ସେନେଇ ଆଇ ଏମ୍ ଡି ପକ୍ଷରୁ ଏବେ କୌଣସି ଆକଳନ କରାଯାଇ ନାହିଁ। ଆସନ୍ତାକାଲି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସଂପର୍କରେ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି। ସେହିପରି ଆସନ୍ତା ୨୬ ତାରିଖ ଅର୍ଥାତ ସୋମବାର ଠାରୁ ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ରହିଛି। ୨୭ ତାରିଖରେ ଅତି ପ୍ରବଳ ଏବଂ ୨୮ ଓ ୨୯ ତାରିଖରେ ଅତ୍ୟନ୍ତ ପ୍ରବଳ ବର୍ଷା ଅର୍ଥାତ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

ବର୍ତ୍ତମାନର ଆକଳନ ଅନୁଯାୟୀ ବାତ୍ୟାର ମୁଖ୍ୟ ପ୍ରଭାବ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ। ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ବାତ୍ୟାର ସିଧାସଳଖ ବଡ଼ ପ୍ରଭାବ ନଥିଲେ ମଧ୍ୟ ପାଣିପାଗ ବଦଳିବ ଏବଂ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

deogarhsamachar
Author: deogarhsamachar

Leave a Comment

शहर चुनें