କୁନିକୁନି ପିଲାମାନଙ୍କୁ ଖେଳ ପ୍ରତି ଆକର୍ଷିତ କରିବା ଲକ୍ଷରେ ପ୍ରତିବର୍ଷ ଦଶହରା ଅବସରରେ କଣ୍ଟାପାଲି ଗ୍ରାମରେ ଖେଳ ପ୍ରତିଯୋଗିତା ଆୟୋଜନ କରାଯାଇ ଆସୁଥିବା ବେଳେ, ଚଳିତ ବର୍ଷ ମଧ୍ୟ ଏହି ପ୍ରତିଯୋଗିତା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।
ଦେବଗଡ ୨୦/୧୦ : ଶାରଦୀୟ ଦୁର୍ଗାପୂଜା ଓ ଦଶହରା ଉପଲକ୍ଷେ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଟାପାଲି ଗ୍ରାମରେ କଣ୍ଟାପାଲି ଦଶହରା କମିଟି ତରଫରୁ ଆଜି (ମଙ୍ଗଳବାର) ଦିନିକିଆ ଦଶହରା କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦଶହରା କମିଟି ସଭାପତି କିରନ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଗ୍ରାମ ତଥା ଆଖପାଖ ଅଞ୍ଚଳର ବହୁସଂଖ୍ୟାରେ ଛୋଟଛୋଟ ବାଳକ/ବାଳିକା ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମ୍ୟୁଜିକ ଚେୟାର, ଅନ୍ଧ ପୁଟୁଳି, ଶଙ୍ଖ ଫୁଙ୍କା, ଦୌଡ଼ ଆଦି ୨୫ ପ୍ରକାରର ଖେଳ ଅନୁଷ୍ଠିତ ହୋଇଥିଲା । ଆଜିର ଏହି ମନୋରମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ପୌର ଅଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ ।

କଣ୍ଟାପାଲି ଗ୍ରାମରେ ୧୯୬୮ ମସିହା ଠାରୁ ଦଶହରା ଉପଲକ୍ଷେ ପ୍ରତିବର୍ଷ ଏହି ମନୋରମ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଥିବା ବେଳେ, ଏହାକୁ ଦେଖିବା ପାଇଁ ଓ କୁନିକୁନି ପିଲାଙ୍କୁ ଉତ୍ସାହିତ କରିବା ପାଇଁ ବହୁସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା । ଏହି ଅବସରରେ ସନ୍ଧ୍ୟାରେ ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।










