ଶାରଦୀୟ ଦୁର୍ଗାପୂଜାର ମହାଷ୍ଟମୀ ଏବଂ ପଶ୍ଚିମ ଓଡ଼ିଶାର ଗଣପର୍ବ ଭାଇ ଜିଉନ୍ତିଆ ଓଷା, ଏହି ଦୁଇଟିଯାକ ସଂସ୍କୃତି ଓ ପରମ୍ପରାର ଅନନ୍ୟ ସମନ୍ୱୟ ପ୍ରଦର୍ଶନ କରନ୍ତି । ଗୋଟିଏ ପଟେ ମା’ ଦୁର୍ଗାଙ୍କ ମହିମା ଗାନ କରାଯାଉଥିବା ବେଳେ, ଅନ୍ୟପଟେ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ସେତୁକୁ ଅଧିକ ଦୃଢ଼ କରାଯାଏ ।
ଦେବଗଡ ୧୮/୧୦ (ସରୋଜ ଶତପଥୀ) : ଦେବୀ ଦୁର୍ଗାଙ୍କ ଆରାଧନାରେ ମୁଖରିତ ଶକ୍ତିପୀଠ, ଅନ୍ୟପଟେ ଭାଇର ଦୀର୍ଘାୟୁ ଓ ମଙ୍ଗଳ କାମନାରେ ଭଉଣୀଙ୍କ ନିଷ୍ଠାପୂର୍ଣ୍ଣ ଉପବାସ। ଆଜି ହେଉଛି ଶାରଦୀୟ ଦୁର୍ଗାପୂଜାର ପବିତ୍ର ମହାଷ୍ଟମୀ। ଏହି ଅବସରରେ ସାରା ଦେଶରେ ଶକ୍ତିସ୍ୱରୂପିଣୀ ମା’ ଦୁର୍ଗାଙ୍କ ଆରାଧନା ଚାଲିଥିବା ବେଳେ ପଶ୍ଚିମ ଓଡ଼ିଶାରେ ପାଳିତ ହେଉଛି ଭାଇ ଜୀମୁତିଆ ଓଷା। ଗୋଟିଏ ପଟେ ମହିଷାସୁର ମର୍ଦ୍ଦିନୀ ମା’ ଦୁର୍ଗାଙ୍କ ଶକ୍ତି ଓ ବିଜୟର ପ୍ରତୀକ ମହାଷ୍ଟମୀ, ଅନ୍ୟପଟେ ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ପ୍ରତୀକ ଜୀମୂତିଆ ଓଷା।
ମହାଷ୍ଟମୀ ଅବସରରେ ବିଭିନ୍ନ ପୂଜାମଣ୍ଡପରେ ମା’ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା, ଚଣ୍ଡୀପାଠ, ହୋମଯଜ୍ଞ ଓ ଆଳତି ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହିତ ପୁଷ୍ପାଞ୍ଜଳି ଅର୍ପଣ କରି ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛନ୍ତି। ମହାଷ୍ଟମୀର ଏକ ବିଶେଷ ଆକର୍ଷଣ ହେଉଛି ସନ୍ଧିପୂଜା। ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ଏହି ବିଶେଷ ପୂଜା କରାଯାଏ।
ସେହିପରି ପଶ୍ଚିମ ଓଡ଼ିଶାର ପାରମ୍ପରିକ ଲୋକପର୍ବ ଭାଇ ଜୀମୁତିଆ ଓଷା ମଧ୍ୟ ଏହି ଦିନର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱକୁ ଆହୁରି ବଢ଼ାଇ ଦେଇଛି। ଏହି ଓଷାରେ ଭଉଣୀମାନେ ନିଜ ଭାଇଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ମଙ୍ଗଳ କାମନା କରି ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। ଜିମୂତବାହନଙ୍କୁ ସ୍ମରଣ କରି ଏହି ବ୍ରତ ପାଳନ କରାଯାଏ। ପାରମ୍ପରିକ ରୀତିନୀତି ଅନୁସାରେ ମହିଳାମାନେ ଉପବାସ ରଖି ଜୀମୁତିଆ ଓଷାର ପୂଜାବିଧି ସମ୍ପନ୍ନ କରନ୍ତି। ଏହା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ନିଃସ୍ୱାର୍ଥପର ସ୍ନେହ ଓ ଆତ୍ମୀୟତାର ଏକ ଅନନ୍ୟ ପ୍ରତୀକ।
ଆଧୁନିକତାର ପ୍ରଭାବରେ ଜୀବନଶୈଳୀ ବଦଳୁଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାର ଏହି ପାରମ୍ପରିକ ଓଷା ଆଜି ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଛି। ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଆଗକୁ ବଢ଼ାଇ ଆସୁଛନ୍ତି ମହିଳାମାନେ। ମୋଟାମୋଟି ଭାବେ କହିବାକୁ ଗଲେ, ମହାଷ୍ଟମୀ ଆମକୁ ଶକ୍ତି, ସତ୍ୟ ଓ ଧର୍ମର ବିଜୟର ବାର୍ତ୍ତା ଦେଉଥିବା ବେଳେ ଜିମୂତିଆ ଓଷା ଭାଇ-ଭଉଣୀଙ୍କ ସମ୍ପର୍କର ପବିତ୍ରତା ଓ ଭଲପାଇବାକୁ ମନେ ପକାଇ ଦେଇଥାଏ।
ମହାଷ୍ଟମୀର ପବିତ୍ର ଅବସରରେ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜା ସହିତ ଭାଇ ଜୀମୁତିଆ ଓଷାର ମିଳନ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଅଧିକ ସମୃଦ୍ଧ କରେ । ଏହା ସୂଚାଇଦିଏ ଯେ ସନାତନ ପରମ୍ପରାରେ ଭଗବତ ଭକ୍ତି ସହିତ ପାରିବାରିକ ସମ୍ପର୍କର ମୂଲ୍ୟବୋଧ କେତେ ଗଭୀର ।










