ଭାରତ – ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି। ସୂଚନା ଦେଲେ ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ମହା ନିର୍ଦ୍ଦେଶକ ଶତ୍ରୁଜିତ କପୁର। ସେପଟେ କେନ୍ଦ୍ର ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ। ପୁଣି ତେଜିଲା ରାଜନୈତିକ ବିବାଦ।
ନୂଆଦିଲ୍ଲୀ, ୨୩/୧୦: ଅରୁଣାଚଳ ପ୍ରଦେଶ ସୀମାରେ ଭାରତୀୟ ଓ ଚୀନ୍ ସେନା ମଧ୍ୟରେ ବିଭିନ୍ନ ସ୍ଥାନରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି)ର ମହାନିର୍ଦ୍ଦେଶକ ଶତ୍ରୁଜିତ କପୁର କହିଛନ୍ତି। ଗୁରୁବାର ରାଜସ୍ଥାନର ଅଲୱରଠାରେ ଆଇଟିବିପି ଯବାନଙ୍କ ଏକ ସମ୍ମାନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ସୂଚନା ଦେଇଥିଲେ। ତାଙ୍କ ମନ୍ତବ୍ୟ ପରେ ସୀମାରେ ସାମ୍ପ୍ରତିକ ସ୍ଥିତିକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। କଂଗ୍ରେସ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଘେରିଛି।
କପୁର କହିଥିଲେ, ଗତ କିଛି ଦିନ ମଧ୍ୟରେ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ଏବେ ବି ଜାରି ରହିଛି। ଏଭଳି ପରିସ୍ଥିତିରେ ଆଇଟିବିପିର ନୂତନ ଭାବେ ଗଠିତ ‘ଶୌର୍ଯ୍ୟ’ କମାଣ୍ଡୋ ଦଳ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସେ ଯବାନଙ୍କୁ ପ୍ରଶଂସା କରିଛନ୍ତି। ତେବେ ଏହି ମୁହାଁମୁହିଁ ସ୍ଥିତିର ସମସ୍ତ ବିବରଣୀ ସେ ସାର୍ବଜନୀନ କରିନାହାନ୍ତି।
ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ କେନ୍ଦ୍ର ସରକାରଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସୀମାରେ ଏଭଳି ସ୍ଥିତି ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଏ ସମ୍ପର୍କରେ ନିରବ ରହିଛନ୍ତି। ଏହା ସହ ଚୀନ୍ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାମ ବଦଳାଇବା ଓ ବୃହତ୍ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ କରିବା ପ୍ରସଙ୍ଗ ଉଠାଇ ରମେଶ ସରକାରଙ୍କ ଚୀନ୍ ନୀତିକୁ ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଜାରି ରହିଛି। ସେପ୍ଟେମ୍ବର ୬ରେ ଅରୁଣାଚଳ ପ୍ରଦେଶର ୱାଚା-ଦମାଇ ସୀମା ବୈଠକ ସ୍ଥଳରେ ଦୁଇ ଦେଶର ସେନା ଅଧିକାରୀଙ୍କ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ତଥାପି ସୀମାରେ ମୁହାଁମୁହିଁ ସ୍ଥିତି ଜାରି ରହିଥିବା ଆଇଟିବିପି ମୁଖ୍ୟଙ୍କ ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି।










