🔍

ନଭେମ୍ବର ୧ରେ ଦିଲ୍ଲୀରେ INDIA ବ୍ଲକ୍‌ର ମହାରାଲି, ଭୋଟ ଚୋରି ଓ SIR ପ୍ରସଙ୍ଗରେ ହେବ ଜୋରଦାର ପ୍ରତିବାଦ ।

ଆସନ୍ତା ନଭେମ୍ବର ୧ ତାରିଖ ଦିଲ୍ଲୀ ରାମଲୀଳା ମଇଦାନରେ ହେବାକୁ ଯାଉଛି ଇଣ୍ଡିଆ ବ୍ଲକ୍ ର ମହା ରାଲି । ନିର୍ବାଚନୀ ଅନିୟମିତତା, ଭୋଟ ଚୋରି ଅଭିଯୋଗ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବା SIR ପ୍ରକ୍ରିୟାକୁ ବିରୋଧ କରି ଏହି ମହାରାଲି ଆୟୋଜନ କରାଯାଉଛି।

ନୂଆଦିଲ୍ଲୀ ୨୮/୧୦ : ଆସନ୍ତା ନଭେମ୍ବର ୧ ତାରିଖରେ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛି ବିରୋଧୀ ମେଣ୍ଟ INDIA ବ୍ଲକ୍‌। ନିର୍ବାଚନୀ ଅନିୟମିତତା, ଭୋଟ ଚୋରି ଅଭିଯୋଗ ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବା SIR ପ୍ରକ୍ରିୟାକୁ ବିରୋଧ କରି ଏହି ମହାରାଲି ଆୟୋଜନ କରାଯାଉଛି। ଦିଲ୍ଲୀର ରାମଲୀଳା ମୈଦାନରେ ହେବାକୁଥିବା ଏହି ଜନଆନ୍ଦୋଳନରେ ବିରୋଧୀ ମେଣ୍ଟର ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ଆନ୍ଦୋଳନ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ଭୋଟରଙ୍କ ଅଧିକାର ଏବଂ ନିର୍ବାଚନ କମିଶନଙ୍କ ଜବାବଦେହିତା ପ୍ରସଙ୍ଗ ଉଠାଇବାକୁ ବିରୋଧୀ ଦଳଗୁଡ଼ିକ ଯୋଜନା କରିଛନ୍ତି। ବିଶେଷକରି SIR ପ୍ରକ୍ରିୟା ଯୋଗୁଁ ଭୋଟର ତାଲିକାରୁ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିବାର ଆଶଙ୍କା ରହିଥିବା ଅଭିଯୋଗ କରି ବିରୋଧୀ ମେଣ୍ଟ ଏହାର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛି।
ଏହି ଆନ୍ଦୋଳନରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀଙ୍କ ସମେତ INDIA ବ୍ଲକ୍‌ର ଅନ୍ୟ ସହଯୋଗୀ ଦଳର ନେତାମାନେ ଯୋଗଦେବାର ସମ୍ଭାବନା ରହିଛି। ରାଲିରେ ବ୍ୟାପକ ଜନସମାଗମ କରିବାକୁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଚାଲିଛି।

ଅନ୍ୟପଟେ ଏହି ରାଲିକୁ ନେଇ ଦିଲ୍ଲୀର ବ୍ୟବସାୟୀ ମହଲରେ ମଧ୍ୟ ଚିନ୍ତା ପ୍ରକାଶ ପାଇଛି। ଦୀପାବଳି ପରବର୍ତ୍ତୀ ବ୍ୟବସାୟିକ ସମୟରେ ରାଲି ଆୟୋଜନ ହେଲେ ଟ୍ରାଫିକ୍ ସମସ୍ୟା ଓ ଗ୍ରାହକଙ୍କ ଯାତାୟାତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ବ୍ୟବସାୟୀ ସଂଗଠନ ପକ୍ଷରୁ ରାଲିର ତାରିଖ ପରିବର୍ତ୍ତନ ପାଇଁ ଅନୁରୋଧ କରାଯାଇଥିବା ଖବର ମିଳିଛି। ସେପଟେ ରାଲିକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ମଧ୍ୟ କେତେକ ସର୍ତ୍ତ ରଖାଯାଇଛି। ରାମଲୀଳା ମୈଦାନରେ ଶୃଙ୍ଖଳିତ ଭାବେ କାର୍ଯ୍ୟକ୍ରମ କରିବା, ଟ୍ରାଫିକ୍ ନିୟମ ମାନିବା ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ରାଲି ଶେଷ କରିବାକୁ କୁହାଯାଇଛି। ତେବେ ନଭେମ୍ବର ୧ର ଏହି ମହାରାଲି INDIA ବ୍ଲକ୍‌ର ଏକତା ଓ ରାଜନୈତିକ ଶକ୍ତିର ବଡ଼ ପରୀକ୍ଷା ହେବାକୁ ଯାଉଛି।

ଏପଟେ INDIA ବ୍ଲକ୍‌ର ନଭେମ୍ବର ୧ ମହାରାଲିକୁ ସମର୍ଥନ ଜଣାଇଛି CJP ବା କକ୍‌ରୋଚ୍ ଜନତା ପାର୍ଟି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହ SIR ପ୍ରକ୍ରିୟାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି ଏହି ସଂଗଠନ।
CJPର କହିବା ଅନୁସାରେ, ଗଣତନ୍ତ୍ରରେ ଲୋକମାନେ ନିଜ ସରକାର ବାଛିବେ, ସରକାର ନିଜ ପସନ୍ଦର ଭୋଟର ବାଛିବେ ନାହିଁ। SIR ପ୍ରକ୍ରିୟା ଯୋଗୁଁ ଯୋଗ୍ୟ ଭୋଟରଙ୍କ ଅଧିକାର ପ୍ରଭାବିତ ହେବାର ଆଶଙ୍କା ରହିଛି ବୋଲି CJP ଅଭିଯୋଗ କରିଛି। ଏହା ସହିତ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ସମ୍ବିଧାନିକ ଆଦର୍ଶକୁ ଉଦାହରଣ ଦେଇ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାର ସୁରକ୍ଷା କରିବାକୁ ଦାବି କରିଛି CJP। ତେଣୁ ନଭେମ୍ବର ୧ରେ ଦିଲ୍ଲୀରେ ହେବାକୁଥିବା INDIA ବ୍ଲକ୍‌ର ମହାରାଲିକୁ CJPର ସମର୍ଥନ ବିରୋଧୀ ଆନ୍ଦୋଳନକୁ ନୂଆ ରାଜନୈତିକ ଚର୍ଚ୍ଚା ଦେଇଛି।

ଏହି ଆନ୍ଦୋଳନ ମାଧ୍ୟମରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାର ଓ ନିର୍ବାଚନ କମିଶନଙ୍କ ଉପରେ କେତେ ଚାପ ସୃଷ୍ଟି କରିପାରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।

deogarhsamachar
Author: deogarhsamachar

Leave a Comment

शहर चुनें