ମଣିଷଙ୍କ ଗହଣରେ ମିଶିଗଲା ଦନ୍ତାହାତୀ ‘ରାଜୁ’
ଡାକିଲେ ଆସୁଛି, ଦେଉଛନ୍ତି ଖାଦ୍ୟ… ଦେବଗଡ଼ରେ ବଢ଼ୁଛି ଲୋକପ୍ରିୟତା ।
ଦେବଗଡ ୨୮/୯ (ସରୋଜ ଶତପଥୀ) : ଜଙ୍ଗଲ ହେଉଛି ହାତୀର ଘର। ହେଲେ ଦେବଗଡ଼ରେ ଏବେ ଏମିତି ଏକ ଦନ୍ତାହାତୀକୁ ନେଇ ଚାରିଆଡ଼େ ଚର୍ଚ୍ଚା, ଯିଏ ଜଙ୍ଗଲ ଛାଡ଼ି ମଣିଷଙ୍କ ଗହଣରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛି। ତା’ର ନାଁ ‘ରାଜୁହାତୀ’।
ବିଗତ କିଛି ମାସ ହେଲା ଦେବଗଡ଼ ଜିଲ୍ଲାର ବିଭିନ୍ନ ଜନବସତି ଅଞ୍ଚଳରେ ଘୂରିବୁଲୁଛି ଏହି ଦନ୍ତାହାତୀ। ଜଙ୍ଗଲରୁ ଜନବସତିକୁ ଆସିଥିବା ରାଜୁ ଧୀରେ ଧୀରେ ଏମିତି ମଣିଷଙ୍କ ସହ ମିଶିଯାଇଛି ଯେ, ଏବେ ତାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବଢ଼ୁଛି ଉତ୍ସାହ।ସବୁଠାରୁ ରୋଚକ କଥା ହେଉଛି, ଲୋକଙ୍କ ଡାକରେ ରାଜୁ ପ୍ରତିକ୍ରିୟା ଦେଉଥିବା ଦୃଶ୍ୟ ଲୋକଙ୍କ ମନ ଜିତୁଛି। ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ତାକୁ ‘ରାଜୁ’ ବୋଲି ଡାକୁଛନ୍ତି। ଆଉ ଲୋକଙ୍କ ଡାକ ଶୁଣି ରାଜୁ ମଧ୍ୟ ଧୀରେ ଧୀରେ ସେମାନଙ୍କ ନିକଟକୁ ଚାଲିଆସୁଛି।

ରାଜୁ ଯେଉଁଆଡ଼େ ଯାଉଛି, ଲୋକେ ତାକୁ ଦେଖିବାକୁ ରୁଣ୍ଡ ହେଉଛନ୍ତି। କେହି ଧାନ ଦେଉଛନ୍ତି, କେହି ଚାଉଳ, ଆଉ କେହି ଦେଉଛନ୍ତି ଫଳମୂଳ ଓ ପନିପରିବା। ଲୋକଙ୍କ ଦିଆ ଖାଦ୍ୟ ଖାଇ ରାଜୁ ଶାନ୍ତ ଭାବରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳୁଛି। ଏହି ଦନ୍ତାହାତୀ ଏବେ କେବଳ ଗୋଟିଏ ହାତୀ ହୋଇ ରହିନାହିଁ, ବରଂ ଅନେକଙ୍କ ପାଇଁ ‘ଆପଣାର’ ହୋଇପାରିଛି। ରିଆମାଳ, ତିଲେଇବଣୀ ଓ ବାରକୋଟ ବ୍ଲକର ବିଭିନ୍ନ ଜନବସତି ଅଞ୍ଚଳରେ ତା’ର ଚଳପ୍ରଚଳ ଦେଖିବାକୁ ମିଳୁଛି।
ରାଜୁକୁ ନେଇ ସ୍ଥାନୀୟ ଲୋକଙ୍କ ଆଗ୍ରହ ଯେତିକି ବଢ଼ୁଛି, ସୋସିଆଲ ମିଡିଆରେ ମଧ୍ୟ ତା’ର ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି। ରାଜୁର ଭିଡିଓ ଓ ଫଟୋ ହାତୀକୁ ଘେରିବା, ଅତି ନିକଟକୁ ଯିବା କିମ୍ବା ରାସ୍ତା ଉପରେ ତା’ର ଗତିରେ ବାଧା ସୃଷ୍ଟି କରିବା ରାଜୁ ଓ ମଣିଷ ଉଭୟଙ୍କ ପାଇଁ ବିପଦ ସୃଷ୍ଟି କରିପାରେ।
ଦେବଗଡ଼ର ଏହି ‘ରାଜୁ’ ଏବେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଥିବା ଏକ ନିଆରା ସମ୍ପର୍କର କାହାଣୀ କହୁଛି। ତା’ର ଏହି ଲୋକପ୍ରିୟତା ଆଗକୁ କେଉଁ ରୂପ ନେବ, ତାହା ସମୟ କହିବ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଦେବଗଡ଼ର ଲୋକଙ୍କ ମନରେ ଏବେ ରାଜୁ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଘୁରିବୁଲୁଥିବା ବେଳେ ଏହି ଦନ୍ତାହାତୀ ଏବେ ଦେବଗଡ଼ର ଏକ ଚର୍ଚ୍ଚିତ ନାଁ ପାଲଟିଛି।
ତେବେ ଏହି ଭଲପାଇବା ମଧ୍ୟରେ ରହିଛି ଏକ ବଡ଼ ଚିନ୍ତା।
ରାଜୁ କାହାର କ୍ଷତି କରୁନଥିଲେ ମଧ୍ୟ ବେଳେବେଳେ ବ୍ୟସ୍ତ ରାଜପଥ ଓ ରାସ୍ତା ଉପରେ ଚଳପ୍ରଚଳ କରୁଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି। ଏକପଟେ ଲୋକଙ୍କ ଭଲପାଇବା, ଅନ୍ୟପଟେ ରାଜୁର ସୁରକ୍ଷା ଉଭୟକୁ ନେଇ ସତର୍କ ରହିବା ଜରୁରୀ।
ରାଜୁର ସୁରକ୍ଷା ପାଇଁ ବନବିଭାଗ ମଧ୍ୟ ନଜର ରଖିଥିବା ବେଳେ, ତାକୁ ଜନବସତିଠାରୁ ଦୂରରେ ଏକ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ଉଦ୍ୟମ କରାଯାଉଛି। ତେବେ ରାଜୁ ପୁଣି ଲୋକଙ୍କ ନିକଟକୁ ଚାଲିଆସୁଥିବାରୁ ତା’ର ଗତିବିଧି ଉପରେ ନିରନ୍ତର ନଜର ରଖିବା ଆବଶ୍ୟକ।
ବନ୍ୟପ୍ରାଣୀ ପ୍ରେମୀମାନଙ୍କ ମତରେ, ରାଜୁ ପ୍ରତି ଲୋକଙ୍କ ଭଲପାଇବା ନିଶ୍ଚିତ ଭାବରେ ଏକ ସକାରାତ୍ମକ ଦିଗ। କିନ୍ତୁ ଭଲପାଇବା ସହିତ ସତର୍କତା ମଧ୍ୟ ଜରୁରୀ। ଲୋକଙ୍କ ଡାକରେ ଯେଉଁ ରାଜୁ ଆଜି ଚାଲିଆସୁଛି…କାଲି ତା’ର ଏହି ଭଲପାଇବା କୌଣସି ବିପଦର କାରଣ ନହେଉ, ଏହା ହିଁ ସମସ୍ତଙ୍କ ଆଶା।








