ମଦ ବେପାରୀଙ୍କ ଭୂସ୍ୱର୍ଗ ପାଲଟିଛି ଦେବଗଡ ଜିଲ୍ଲା। ଜିଲ୍ଲାରେ ଉଦବେଗ ଜନକ ଭାବେ ବଢ଼ିଚାଲିଛି ବେଆଇନ ମଦ କାରବାର । ଦୁଇ ମାସରେ ରୁଜୁ ହେଲାଣି ୨୭ ମାମଲା ।
ଦେବଗଡ଼ ୩୦/୧୦: ଦେବଗଡ଼ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ମଦ କାରବାର । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଥିବା ପାନଦୋକାନ ଠାରୁ ଆରମ୍ଭ କରି ଢାବା ହୋଟେଲ ମାନଙ୍କରେ ଖୁଲମଖୁଲା ବିକ୍ରି ହେଉଛି ଦେଶୀ ଓ ବିଦେଶୀ ମଦ । ଚୋରା ବେପାରୀ ମାନେ ବେଆଇନ ମଦ ଚାଲାଣ ଓ ବିକ୍ରି କରି ବେଶ୍ ମଲେମାଲ୍ ହେଉଥିବା ବେଳେ, ମଦ କବଳରେ ପଡୁ ବହୁ ପରିବାର ଛାରଖାର ହେଉଛି । ମଦ ନିଶାରେ ପଡ଼ି ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଅପରାଧିକ କାର୍ଯ୍ୟକଳାପ ଓ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି । ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଓ ଜିଲ୍ଲାର ସଦର ମହକୁମା ଠାରୁ ଆରମ୍ଭ କରି ବିଭିନ୍ନ ଗାଁ ଗଣ୍ଡାରେ ପୂଜା ପାର୍ବଣ ଓ ଭସାଣି ଉତ୍ସବ ଆଦି ଅନୁଷ୍ଠିତ ହେଉଥିବା ବେଳେ, ଏହି ସମୟରେ ଚୋରା ବେପାରୀମାନେ ସେମାନଙ୍କ ନିଶା ସାମ୍ରାଜ୍ୟକୁ ବେସ୍ ପ୍ରସାରିତ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ତେବେ ଏହି ବେଆଇନ ମଦ କାରବାରକୁ ରୋକିବା ପାଇଁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ମାସ ଓ ଚଳିତ ଅକ୍ଟୋବର ମାସ ୨୮ ତାରିଖ ସୁଦ୍ଧା ( ଦୁଇମାସରେ ) ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଢାବା ହୋଟେଲ ଓ ଦୋକାନ ଗୁଡିକରେ ଚଢାଉ କରାଯାଇ ମୋଟ ୨୭ ଜଣଙ୍କ ନାମରେ ମାମଲା ରୁଜୁ କରାଯିବା ସହ ବହୁପରିମାଣରେ ବେଆଇନ ମଦ ଜବତ କରାଯାଇଛି।
ସେପ୍ଟେମ୍ବର ମାସରେ ୧୫ଟି ମାମଲା ରୁଜୁ କରି ୧୫ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ଅକ୍ଟୋବର ମାସରେ ୧୨ଟି ମାମଲା ରୁଜୁକରି ୧୨ଜଣଙ୍କୁ ଗିରଫ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି। ଗତ ସେପ୍ଟେମ୍ବର ମାସରେ ଚଢାଉ ବେଳେ ବେଆଇନ ମହୁଲି ମଦ ୪୨ଲିଟର, ଓଏସ୍ଏଲ୍ ୩୮.୬ ଲିଟର, ବିଦେଶୀ ମଦ ୧୮.୬୬ ଲିଟର, ବିୟର ୭.୧୫୦ ଲିଟର ଜବତ କରାଯାଇଛି। ସେହିପରି ଅକ୍ଟୋବର ମାସରେ ବେଆଇନ ମହୁଲି ମଦ ୯ ଲିଟର, ଓଏସ୍ଏଲ୍ ୧୯.୪, ବିଦେଶୀ ମଦ ୧୦.୪ ଲିଟର, ବିୟର ୧୫.୬୫ ଲିଟର ଏବଂ ୩.୨ କୁଇଣ୍ଟାଲ ମହୁଲ ଜବତ କରାଯାଇଛି।
ତଥାପି ଜିଲ୍ଲାରେ ଚାଲିଥିବା ବେଆଇନ ମଦ କାରବାର ଥମିବା ନାଁ ନେଉନାହିଁ । ଏହି ବେଆଇନ କାରବାରକୁ ରୋକିବା ବର୍ତ୍ତମାନ ଅବକାରୀ ବିଭାଗ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ ସୃଷ୍ଟି କରିଛି ।










