RTI କର୍ମୀଙ୍କ ଅଭିଯୋଗ ପରେ ରାଜ୍ୟ ଗଣଶିକ୍ଷା ବିଭାଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି । ପାଠ୍ୟ ପୁସ୍ତକ ମୁଦ୍ରଣରେ ବାରମ୍ବାର ତୃଟି ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପିଏମଓର ନିର୍ଦ୍ଦେଶ ।
ଭୁବନେଶ୍ୱର ୨୯/୯ : ଓଡ଼ିଶାରେ ସ୍କୁଲ୍ ପାଠ୍ୟପୁସ୍ତକ ମୁଦ୍ରଣ ଓ ବଣ୍ଟନକୁ ନେଇ ଉଠିଥିବା ଗୁରୁତର ତ୍ରୁଟି ଅଭିଯୋଗ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିଛି । ବିଶିଷ୍ଟ ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛି । ଓଡ଼ିଶା ସରକାରଙ୍କ ସ୍କୁଲ୍ ଓ ଗଣଶିକ୍ଷା ବିଭାଗଠାରୁ ଏନେଇ ଜବାବ ମଗାଯାଇଥିବା ଅଭିଯୋଗକାରୀ ଶ୍ରୀ ପ୍ରଧାନ କହିଛନ୍ତି । ପାଠ୍ୟପୁସ୍ତକ ମୁଦ୍ରଣ ପ୍ରକ୍ରିୟାରେ ବ୍ୟାପକ ଆର୍ଥିକ ଅନିୟମିତତା, ଦ୍ୱେତ ସ୍ୱାର୍ଥ ଏବଂ ତଥ୍ୟ ଲୁଚାଇବା ଭଳି ସାଂଘାତିକ ଅଭିଯୋଗ ଆଣି ତଦନ୍ତ ଦାବି କରାଯାଇଛି । ଶିକ୍ଷା ମନ୍ତ୍ରଣାଳୟ ଅଧୀନ ସ୍କୁଲ୍ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ପକ୍ଷରୁ ରାଜ୍ୟ ବିଭାଗଠାରୁ ଏନେଇ ରିପୋର୍ଟ ମଗା ଯାଇଥିବା ଦାବି ହୋଇଛି ।
ପ୍ରଦୀପ ପ୍ରଧାନଙ୍କ ଅଭିଯୋଗ ଅନୁସାରେ, ସରକାରୀ ପ୍ରେସ୍ର ଜଣେ ଉପ-ନିର୍ଦ୍ଦେଶକ ସ୍ତରୀୟ ଅଧିକାରୀ ୨୦୨୨ ମସିହାରୁ ପାଠ୍ୟପୁସ୍ତକ ମୁଦ୍ରଣ କାର୍ଯ୍ୟ ପରିଚାଳନା କରୁଛନ୍ତି । ଏହା ସହ ଅଧିକାରୀଙ୍କ ପରିବାର ସହ ସମ୍ପୃକ୍ତ ଏକ ଘରୋଇ ସଂସ୍ଥାକୁ ମୁଦ୍ରଣ ଓ ଯୋଗାଣ ଚୁକ୍ତି ମିଳିଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି । ଏହି ଅଭିଯୋଗ ଗୁଡ଼ିକର ସ୍ୱାଧୀନ ଓ ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ଅନ୍ୟପଟେ, ପାଠ୍ୟପୁସ୍ତକରେ ବହୁଳ ସଂଖ୍ୟାରେ ତ୍ରୁଟି ମିଳିବା ଘଟଣା ମଧ୍ୟ ଏହି ବିବାଦକୁ ଆହୁରି ତୀବ୍ର କରିଛି । ସରକାରୀ ତଥ୍ୟ ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ୧,୭୪୧ଟି ତ୍ରୁଟି ଚିହ୍ନଟ ହୋଇଛି । ଏହି ପୁସ୍ତକର ମୁଦ୍ରଣ ଓ ପ୍ରକାଶନ ପାଇଁ ରାଜକୋଷରୁ ପ୍ରାୟ ୧୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାର ବିଧାନସଭାରେ ସୂଚନା ଦେଇଛି ।
ତେବେ ଅଭିଯୋଗରେ ଉଠିଥିବା ସମସ୍ତ ତଥ୍ୟ ଓ ଦାବିର ସ୍ୱତନ୍ତ୍ର ଯାଞ୍ଚ ହେବା ପରେ ହିଁ ଏହାର ସତ୍ୟତା ସ୍ପଷ୍ଟ ହେବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜବାବ ମାଗାଯିବା ପରେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ କଣ ସଫେଇ ଦିଆଯାଇଛି, ତାହା ଦେଖିବାକୁ ବାକି ରହିଲା ।










